ଆଜିଠୁ ରାଜ୍ୟର ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଓଡ଼ିଶାକୁ ମୌସୁମୀ ଛୁଇଁବା ପରେ ଦୁର୍ବଳ ହୋଇଯିବାରୁ ତାପମାତ୍ରା ବଢିବା ସହିତ ରାଜ୍ୟରେ ଗରମ ବଢିଥିଲା। ତେବେ ଆଜିଠୁ ରାଜ୍ୟର ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୬ ତାରିଖରେ ରାଜ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା ତଥା କିଛି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ଗଙ୍ଗାନଗର ରୁ ବାହାରି, ଦିଲ୍ଲୀ, ଆଲିଗଡ, ହମିରପୁର, ପ୍ରୟାଗରାଜ, ଡାଲଟନଗଞ୍ଜ, ମଧ୍ୟ ଦେଇ ଓଡ଼ିଶାର ବାଲେଶ୍ୱର ରୁ ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଅନ୍ୟପଟେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆନ୍ଧ୍ର ଉପକୂଳରେ ବାୟୁମଣ୍ଡଳର ୧.୫ କିମି ରୁ ୭.୬ କିମି ମଧ୍ୟର ଘୁର୍ଣ୍ଣିବଳୟ ସକ୍ରିୟ ହୋଇଛି। ଏହା ପ୍ରଭାବରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି।

ଚଳିତ ମୌସୁମୀ ଋତୁରେ, ରାଜ୍ୟରେ ୧ଜୁନ ରୁ ୪ ଜୁଲାଇ ୨୦୨୩ ମଧ୍ୟରେ ୧୭୧.୭ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୨୪୭.୪ ମିମି ତୁଳନାରେ ୩୧ ପ୍ରତିଶତ କମ ରହିଛି। ସେହିପରି ଚଳିତ ମୌସୁମୀ ଋତୁରେ ଆଜି ସୁଦ୍ଧା ଦେବଗଡ ଜିଲ୍ଲାରେ ସର୍ବାଧିକ ବର୍ଷା ୩୩୧.୮ ମିମି ବର୍ଷା ରେକର୍ଡ ହୋଇଛି। ଯାହା ସ୍ୱାଭାବିକ ବର୍ଷା ୨୩୫.୯ ମିମି ତୁଳନାରେ ୪୧% ଅଧିକ ଏବଂ ରାୟଗଡା ଜିଲ୍ଲାରେ ସର୍ବନିମ୍ନ ୫୬.୭ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକ ବର୍ଷା ୨୧୩.୯ ମିମି ତୁଳନାରେ ୭୩% କମ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩.୬ ମିମି ବର୍ଷା ରେକର୍ଡ ଯାହା ସ୍ୱାଭାବିକ ବର୍ଷା ୯.୪ ମିମି ତୁଳନାରେ ୬୨ ପ୍ରତିଶତ କମ ରହିଛି।

Related Articles

Back to top button