ବିଶ୍ୱକପକୁ ବୟକଟ୍ କରିବାକୁ ପାକିସ୍ତାନ କ୍ରୀଡାମନ୍ତ୍ରୀଙ୍କ ଧମକ

ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ତ ପାକିସ୍ତାନ କ୍ରିକେଟ୍ ଟିମ୍? ଏହି ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ସ୍ପଷ୍ଟ ହେଇପାରିନି । ଆଉ ଏହାରି ଭିତରେ ପାକିସ୍ତାନର କ୍ରୀଡାମନ୍ତ୍ରୀ ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପରୁ ପାକିସ୍ତାନର ଓହରିବା କଥା ଧମକ ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତ ନ୍ୟୁଟାଲ ଭେନ୍ୟୁରେ ଏସିଆ କପ୍ ଖେଳିବା କଥା ଛାଡୁ, ନଚେତ୍ ପାକିସ୍ତାନ ମଧ୍ୟ ବିଶ୍ୱକପରେ ସେହି ଦାବି କରିବ ।

ବିଶ୍ୱକପ୍ ପାଇଁ ଆଇସିସି ଖେଳସୂଚୀ ଜାରି କରିସାରିଛି । ଆସନ୍ତା ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦରେ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯିବ । ଖାଲି ସେତିକି ନୁହେଁ, ଭାରତର ୪ଟି ସହରରେ ପାକିସ୍ତାନ ଟିମ୍ ୮ଟି ମ୍ୟାଚ୍ ଖେଳିବ । ହେଲେ ଏବେ ବିଶ୍ୱକପରୁ ଓହରିବାକୁ ଧମକ ଦେଇଛନ୍ତି ପାକିସ୍ତାନର କ୍ରୀଡାମନ୍ତ୍ରୀ ।

ପାକିସ୍ତାନ କ୍ରୀଡାମନ୍ତ୍ରୀ ଏହସାନ୍ ମଜାରୀ ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ କହିଛନ୍ତି , ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ୍ ବିଦେଶ ମନ୍ତ୍ରୀ ବିଲାବଲ ଭୁଟ୍ଟୋଙ୍କ ଅଧ୍ୟକ୍ଷତାରେ ଏକ ୧୪ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛନ୍ତି । ଏଥିରେ ପାକିସ୍ତାନର କ୍ରୀଡାମନ୍ତ୍ରୀ ସମେତ ୧୧ ଜଣ ମନ୍ତ୍ରୀ ରହିଛନ୍ତି । ଏହି କମିଟି ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବା ସହିତ, ପାକିସ୍ତାନ ଭାରତ ଆସି କ୍ରିକେଟ୍ ଖେଳିବ କି ନାହିଁ ସେ ଉପରେ ନିଷ୍ପତ୍ତି ନେବ । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ପଠାଇବା ପରେ ଯାଇ ପାକିସ୍ତାନ କ୍ରିକେଟ୍ ଟିମ୍ ଭାରତ ଆସିବ କି ନାହିଁ, ସେ ନେଇ ଶେଷ ନିଷ୍ପତ୍ତି ନିଆଯିବ ବୋଲି ପାକିସ୍ତାନର କ୍ରୀଡାମନ୍ତ୍ରୀ କହିଛନ୍ତି ।

Related Articles

Back to top button