ଶ୍ରାବଣ ପ୍ରଥମ ସୋମବାର, ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡ଼ିଆ

ଭୁବନେଶ୍ୱର: ଆଜି ପବିତ୍ର ଯୋଡ଼ା ଶ୍ରାବଣର ପ୍ରଥମ ସୋମବାର। ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ଲାଗି ଶିବାଳୟରେ ଲାଗିଛି କାଉଡିଆଙ୍କ ଗହଳି । ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥ ଦେବଙ୍କ ପୀଠରେ ବୋଲବମ୍ ଭକ୍ତଙ୍କ ଭିଡ଼ ଲାଗିଛି।

ବିଳମ୍ବିତ ରାତିରୁ ଦ୍ବାରଫିଟା,ସକାଳ ଧୂପ ଓ ମଙ୍ଗଳ ଆଳତି ପରେ ଜଳଲାଗି ଆରମ୍ଭ ହୋଇଛି । ଆଜି ରାତିରେ ଶ୍ରୀଲୋକନାଥଙ୍କ ପହୁଡ଼ ହେବା ପର୍ଯ୍ୟନ୍ତ କାଉଡ଼ିଆ ଭକ୍ତମାନେ ପାଣି ଢାଳିଛନ୍ତି । କାଉଡିଆଙ୍କ ସୁରକ୍ଷାକୁ ଆଖିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରାବଣ ପାଇଁ ଏକାମ୍ର ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଲିଙ୍ଗରାଜଙ୍କ ଜଳାଭିଷେକ ପାଇଁ ଲାଗିଛି କାଉଡିଆଙ୍କ ଲମ୍ବା ଧାଡି । ବଡି ଭୋରରୁ ପାଣି ଢାଳୁଛନ୍ତି ଶ୍ରଦ୍ଧାଳୁ ।

ତେବେ କାଉଡିଆଙ୍କ ସୁରକ୍ଷା ଲାଗି କମିଶନରେଟ୍ ପୋଲିସ ସ୍ବତନ୍ତ୍ର ବ୍ୟବସ୍ଥା କରିଛି । ଲିଙ୍ଗରାଜ ମନ୍ଦିର ବ୍ୟତିତ ଏକାମ୍ର କ୍ଷେତ୍ରର ଭାସ୍କରେଶ୍ବର, ମେଘେଶ୍ବର, ମୁକ୍ତେଶ୍ବର, ବ୍ରହ୍ମେଶ୍ବର ଭଳି ଶିବାଳୟରେ ମଧ୍ୟ ଶ୍ରଦ୍ଧାଳୁ ଜଳଲାଗି କରୁଛନ୍ତି ।

ନୟାଗଡର ପ୍ରସିଦ୍ଧ ଶୈବପୀଠ ଶରଣକୂଳର ଲଡୁବାବାଙ୍କ ପୀଠରେ ସକାଳୁ ସକାଳୁ ୪ହଜାରରୁ ଅଧିକ କାଉଡିଆ ଜଳଲାଗି କରିସାରିଲେଣି । ରାତି ଗୋଟାଏରେ ମନ୍ଦିର ଖୋଲାଯିବା ପରେ ଠାକୁରଙ୍କ ନୀତିକାନ୍ତି କରାଯାଇ ରାତି ଦୁଇଟାରୁ ଜଳଲାଗି ଆରମ୍ଭ ହୋଇଛି। ସେହିପରି ଆଠଗଡର ପ୍ରସିଦ୍ଧ ଧବଳେଶ୍ବର ପୀଠରେ ମଧ୍ୟ କାଉିଡିଆମାନେ ବାବା ଧବଳେଶ୍ବରଙ୍କୁ ଜଳ ଲାଗି କରୁଛନ୍ତି ।

Related Articles

Back to top button