ଉତ୍ତର ଭାରତରେ ବନ୍ୟା ବିତ୍ପାତ

ନୂଆଦିଲ୍ଲୀ: ଉତ୍ତର ଭାରତରେ ବନ୍ୟା ବିତ୍ପାତ । ଗତ ୬ ଦିନ ହେଲା ଲଗାଣ ବର୍ଷାରେ ବେହାଲ ଅଧା ଭାରତ। ବର୍ଷା ଓ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୧୪୫ ପାର୍ କରିଛି । ଗତ ୨୪ ଘଣ୍ଟାରେ ୩୪ ଜଣଙ୍କ ମୃତ୍ୟୁ ହୋଇଛି । ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ବନ୍ୟା ସ୍ଥିତି ଅତ୍ୟନ୍ତ ସାଂଘାତିକ୍ ରହିଛି। କେବଳ ଉତ୍ତରପ୍ରଦେଶରେ ଗୋଟିଏ ଦିନରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହିମାଚଳ ପ୍ରଦେଶରେ ୬, ହରିୟାଣାରେ ୫, ପଞ୍ଜାବରେ ୪ ଏବଂ ଉତ୍ତରାଖଣ୍ଡରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶରେ ବର୍ଷା ଏବଂ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୫୫ରେ ପହଞ୍ଚିଛି।

ହିମାଚଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୯୦ଜଣଙ୍କ ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ବିଭିନ୍ନ ବନ୍ୟାପ୍ରବଣ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି । ବନ୍ୟାରେ ବେଘର ହୋଇଥିବା ଅସହାୟଙ୍କୁ ସରକାର ଘର ସହିତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ବର୍ଷା ଯୋଗୁଁ ପଞ୍ଜାବ ଏବଂ ହରିୟାଣାରେ ଜନଜୀବନ ଜଟିଳ ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଭୟ ରାଜ୍ୟରେ ଉଦ୍ଧାର କର୍ଯ୍ୟା ଚାଲିଛି । ରିଲିଫ୍ ବଣ୍ଟନ କାମ ଜାରି ରହିଛି । ପଞ୍ଜାବର ୧୪ ଜିଲ୍ଲା ଓ ହରିୟାଣାରେ ୭ ଜିଲ୍ଲା ପ୍ରଭାବିତ ହୋଇଛି । ପଂଜାବର ବିଭିନ୍ନ ପ୍ରଭାବିତ ଜିଲ୍ଲାର ୧୪ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ରାଜଧାନୀ ଦିଲ୍ଲୀ ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ ହୋଇଛି। ଗତ ୪ଦିନ ହେଲା ଲଗାଣ ବର୍ଷା ଜାରି ରହିଛି । ଯମୁନା ଭୀଷଣ ରୂପ ଧାରଣ କରିଥିବା ବେଳେ ଆଇଟିଓ ଓ ରାଜଘାଟ ସମ୍ପୂର୍ଣ୍ଣ ରୂପେ ବୁଡ଼ିଯାଇଛି । ନିଗମବୋଧ ଘାଟରେ ୮ଫୁଟ୍ ପାଣି ଜମିରହିଛି । ଶନିବାର ଯମୁନା ନଦୀ ଜଳ ୨୦୭.୬୨ ମିଟର ଉପରେ ବହୁଥିବାର ରେକର୍ଡ କରାଯାଇଛି ।

Related Articles

Back to top button