ଓଡ଼ିଶା ପାଇଁ ନାହିଁ ବନ୍ୟା ଆଶଙ୍କା

ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଣି ପଶି ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହୀରାକୁଦ ଜଳଭଣ୍ଡାରରେ ମଧ୍ୟ ଜଳସ୍ତର ଧିରେ ଧିରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ତେଣୁ ରାଜ୍ୟରେ ବର୍ତ୍ତମାନ ବନ୍ୟାର ଆଶଙ୍କା ମଧ୍ୟ କମିବାରେ ଲାଗିଛି । ମହାନଦୀ ତଥା ରାଜ୍ୟର ଅନ୍ୟାନ୍ୟ ନଦୀରେ ହ୍ରାସ ପାଇଛି ବନ୍ୟା ହେବାର ଭୟ । ଏ ନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ମହାନ୍ତି କହିଛନ୍ତି ଯେ, ଏବେ ହୀରାକୁଦର ବର୍ତ୍ତମାନ ଜଳସ୍ତର ୬୨୦.୮ ଫୁଟ ରହିଛି । ସେହିପରି ଜଳଭଣ୍ଡାରକୁ ୧ ଲକ୍ଷ ୭୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ୩ ଲକ୍ଷ ୫୦ ହଜାର କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି । ମୁଣ୍ଡଳିରେ ମଧ୍ୟ ୪ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ତେବେ ଏହି ରେକର୍ଡ ଅନୁସାରେ, ରାଜ୍ୟର ବିଭିନ୍ନ ନଦୀରେ ଏବେ ଜଳସ୍ତର ତଳକୁ ଖସିବାରେ ଲାଗିଛି । ଏହାବ୍ୟତୀତ ହୀରାକୁଦ ନଦୀବନ୍ଧର ତଳମୁଣ୍ଡ କିମ୍ବା ଉପରମୁଣ୍ଡରେ ବର୍ଷା ମଧ୍ୟ ହେଉନାହିଁ । ଯାହାଫଳରେ ଡ୍ୟାମରେ ଜଳସ୍ତର ନିମ୍ନଗାମୀ ହେଉଛି ।

ତେବେ ଅନୁମାନ କରାଯାଉଛି ଯେ, ଆସନ୍ତା ୯ ତାରିଖ ସୁଦ୍ଧା ହୀରାକୁଦର ଜଳସ୍ତର ୬୧୫ ଫୁଟ ତଳକୁ ଖସି ଯାଇପାରେ । ଯାହାଫଳରେ ରାଜ୍ୟରେ ବନ୍ୟାକୁ ନେଇ ବୃଦ୍ଧି ପାଉଥିବା ଆଶଙ୍କା ମଧ୍ୟ କମ୍ ହୋଇଛି । ତେବେ ଉତ୍ତର ଓଡ଼ିଶାରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିବା ବେଳେ ସୁବର୍ଣ୍ଣରେଖା ଏବଂ ବୁଢାବଳଙ୍ଗ ନଦୀ ଉପରେ ବିଶେଷ ନଜର ରଖାଯାଇଛି ।

Related Articles

Back to top button