ଲୋକସଭାରେ ପାସ୍ ହେଲା ଡିଜିଟାଲ ଡାଟା ପ୍ରୋଟେକସନ୍ ବିଲ୍‌

ନୂଆଦିଲ୍ଲୀ: ସୋମବାର ଲୋକସଭାରେ ପ୍ରବଳ ହଟ୍ଟାଗୋଳ ମଧ୍ୟରେ ପାସ୍ ହୋଇଛି ଡିଜିଟାଲ ଡାଟା ପ୍ରୋଟେକସନ୍ ବିଲ୍‌ । ଜନସାଧାରଣଙ୍କ ବ୍ୟକ୍ତିଗତ ତଥ୍ୟକୁ ସରକାରୀ ଏବଂ ଘରୋଇ କମ୍ପାନୀ ଗୁଡ଼ିକ କିପରି ବ୍ୟବହାର କରିପାରିବେ ତାହାର ଗାଇଡଲାଇନ୍ ଏହି ବିଲ୍‌ରେ ରହିଛି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ଏହି ବିଲ୍ ଆଗତ କରିଥିଲେ । ଲୋକସଭାରେ ଏହି ବିଲ୍ ପାସ୍ ହେବା ପରେ ଏବେ ଏହା ରାଜ୍ୟସଭାକୁ ଯିବ । ଯେଉଁଠାରେ ସରକାର ଏହି ବିଲ୍ ପାସ୍ କରିବା ପାଇଁ ଅନ୍ୟ ଦଳମାନଙ୍କ ସହମତି ଉପରେ ନିର୍ଭର କରିବେ ।

ତେବେ ବିରୋଧୀ ଦଳମାନେ ଏହି ବିଲ୍ ଉପରେ ପ୍ରଶ୍ନ ଉଠାଇ ଏହାକୁ ସଂସଦୀୟ କମିଟକୁ ପଠାଇବାକୁ ଦାବି କରିଛନ୍ତି । ଅଗଷ୍ଟ ୩ ତାରିଖରେ ଅଶ୍ୱିନୀ ବୈଷ୍ଣବ ଏହି ବିଲ୍‌କୁ ଲୋକସଭାରେ ଉପସ୍ଥାପିତ କରିଥିଲ । ଏହି ସମୟରେ ବିରୋଧୀମାନେ ପ୍ରବଳ ହଟ୍ଟଗୋଳ କରିବା ସହିତ ଏହି ବିଲ୍ ଜନସାଧାରଣଙ୍କ ମୌଳିକ ଅଧକାର କ୍ଷୁର୍ଣ୍ଣ କରୁଥିବା କହିଥିଲେ ।

ତେବେ ଏହି ବିଲ୍ ଦେଶର ୧୪୦ କୋଟି ଲୋକଙ୍କ ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ସହ ଜଡ଼ିତ ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଯେ ଆଜି ସମଗ୍ର ବିଶ୍ୱରେ ଡିଜିଟାଲ ଇଣ୍ଡିଆକୁ ନେଇ ଚର୍ଚ୍ଚା ହେଉଛି ଏବଂ ବିଶ୍ୱର ଅନେକ ଦେଶ ଏହାକୁ ଗ୍ରହଣ କରିବାକୁ ଚାହୁଁଛନ୍ତି, ତାହା ଡିଜିଟାଲ ପେମେଣ୍ଟ ସିଷ୍ଟମ ହେଉ, ଆଧାର ସିଷ୍ଟମ ହେଉ କିମ୍ବା ଡିଜିଟାଲ ଲକର । ସେହିଭଳି ସାଧାରଣ ଲୋକ ମାନେ ମଧ୍ୟ ଯେପରି ସହଜରେ ବୁଝିପାରିବେ ସେଥିପାଇଁ ଏହି ବିଲର ଭାଷାକୁ ଅତ୍ୟନ୍ତ ସରଳ ରଖାଯାଇଛି ବୋଲି ସେ କହିଛନ୍ତି । ଏହି ବିଲ୍ ର ନୀତି ସମ୍ପର୍କରେ ସେ କହିଛନ୍ତି ଯେ କୌଣସି ବ୍ୟକ୍ତି, କୌଣସି ପ୍ଲାଟଫର୍ମ କିମ୍ବା ଆପରେ ଆସୁଥିବା ଡାଟା ଏବେ ଆଇନ ଅଧୀନରେ ଆସିବ। ପ୍ରସ୍ତାବିତ ଆଇନ ଅନୁସାରେ ଏହି ଡାଟାକୁ ଯେଉଁ ଉଦ୍ଦେଶ୍ୟରେ ନିଆଯାଇଛି ସେଥିପାଇଁ ବ୍ୟବହାର କରାଯିବା ଉଚିତ୍ । ଡାଟାର ଅପବ୍ୟବହାର ପାଇଁ ବିଲରେ କଡ଼ା ଦଣ୍ଡବିଧାନ ଓ ଜରିମାନାର ବ୍ୟବସ୍ଥା ରହିଛି ।

ଏହି ବିଲ୍‌ରେ ସରକାର କିଛି କ୍ଷେତ୍ରରେ ଶିଶୁ ମାନଙ୍କ ପାଇଁ ବୟସସୀମା ୧୫ ବର୍ଷ ରଖିଛନ୍ତି । ଯାହା ଦ୍ୱାରା କମ୍ପାନୀ ମାନେ ଅତି ସହରେ ଶିଶୁ ମାନଙ୍କର ତଥ୍ୟ ସେମାନଙ୍କର ବିନା ଅନୁମତିରେ ସଂଗ୍ରହ କରିପାରନ୍ତି ବୋଲି କହିଛନ୍ତି ବିରୋଧୀ ସାଂସଦ । ଏହା ସହିତ ଏହି ବିଲ୍ କିଛି ପ୍ଲାର୍ଟଫର୍ମ ଉପରେ ଶିଶୁ ମାନଙ୍କର ତଥ୍ୟ ସଂଗ୍ରହ ପାଇଁ କଟକଣା ମଧ୍ୟ ଲଗାଇଛି ।

ସେହିଭଳି ଏହି ବିଲ୍‌ରେ ଏହା ଉଲ୍ଲେଖ ରହିଛି ଯେ, ଡାଟା ପ୍ରୋଟେକସନ୍ ବୋର୍ଡର ଅଧ୍ୟକ୍ଷଙ୍କୁ କେନ୍ଦ୍ର ସରକାର ନିଯୁକ୍ତ କରିବେ । ଏହାବାଦ୍ ଏହି ବିଲ୍‌ରେ କୌଣସି ତଥ୍ୟ ପାଇଁ କେନ୍ଦ୍ର ସରକାରଙ୍କ ପ୍ରତି ସାମାନ୍ୟ କୋହଳ ରହିଛି । ଯାହାକୁ ନେଇ ବିରୋଧୀମାନେ ଚିନ୍ତା ପ୍ରକଟ କରିଛନ୍ତି।

Related Articles

Back to top button