୨୪ ଘଣ୍ଟା ମଧ୍ୟରେ ୧୮ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା

ଭୁବନେଶ୍ୱର: ମୌସୁମୀ ନିମ୍ନ ଚାପ-ରେଖା ଆଜି ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଅବସ୍ଥାନ କରୁଥିବାରୁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି, ଏବଂ ଏହା ଆଜି ପଞ୍ଜାବର ଅମୃତସରରୁ ବାହାରି ଚଣ୍ଡିଗଡ, ବାହରିଚ, ମୁଜାଫରପୁର, ମଧ୍ୟଦେଇ ପଶ୍ଚିମବଙ୍ଗର ବାଲୁରଘାଟରୁ ପୂର୍ବ ଦିଗରେ ମଣିପୁର ଯାଏଁ ଲମ୍ବିଛି। ଏହାର ପ୍ରଭାବରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଥିବା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର।

ଜାରି ସତର୍କ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୧୨ ଅଗଷ୍ଟ, ଶନିବାର ଅପରାହ୍ନ ସୁଦ୍ଧା ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ପ୍ରଭୃତି ଉପକୂଳ ଓ ପଶ୍ଚିମ ଓଡ଼ିଶାର ୧୮ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଓ ବଜ୍ରପାତର ସମ୍ଭାବନା ରହଛିି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଅନ୍ୟପକ୍ଷରେ ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି (ଶୁକ୍ରବାର) ସକାଳୁ ଆକାଶ ଆଂଶିକ ମେଘାଛନ୍ନ ରହିଛି। ତେବେ, ଟୁଇନ୍‌ ସିଟି ଅଞ୍ଚଳରେ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ବଜ୍ରପାତ ସହ ଅସରାଏ, ଦୁଇଅସରା ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ସୂଚନାରେ କୁହାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୌସୁମୀ ଦୁର୍ବଳ ରହିବା ସହ ହାରାହାରି ବର୍ଷା ୧.୯ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୯.୮ ମିମି ତୁଳନାରେ ୮୦% କମ ରହିଛି।

Related Articles

Back to top button