ଜୟା ପ୍ରଦାଙ୍କୁ ୬ମାସ ଜେଲଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା
ଚଳଚିତ୍ର ଅଭିନେତ୍ରୀ ତଥା ରାମପୁର ଲୋକସଭା ନିର୍ବାଚନମଣ୍ଡଳୀର ପୂର୍ବତନ ସାଂସଦ ଜୟା ପ୍ରଦାଙ୍କୁ ଚେନ୍ନାଇର ଏକ କୋର୍ଟ ୬ମାସ ଜେଲଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି । ଚେନ୍ନାଇର ରାୟପେଟା ଠାରେ ଥିବା ଏକ ମୋଭି ଥିଏଟରର ଜଣେ କର୍ମଚାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗ ଉପରେ ଶୁଣାଣି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି ।
ଏହି ସିନେମା ହଲକୁ ଚେନ୍ନାଇର ରାମ କୁମାର ଓ ରାଜା ବାବୁ ପରିଚାଳନା କରନ୍ତି । ସମସ୍ୟା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ମ୍ୟାନେଜମେଣ୍ଟ ଥିଏଟର କର୍ମଚାରୀଙ୍କ ଇଏସଆଇ ପ୍ରିମିୟମ ଦେବାରେ ବିଫଳ ହୋଇଥିଲା । ଏନେଇ କିଛି କର୍ମଚାରୀ କୋର୍ଟରେ ପହଂଚିଥିଲେ । ଏହାପରେ ଜୟା ପ୍ରଦା କର୍ମଚାରୀମାନଙ୍କୁ ଇଏସଆଇର ପୂର୍ଣ୍ଣ ପ୍ରିମିୟମ ଦେବାକୁ ପ୍ରତିଶୃତି ଦେଇଥିଲେ । ହେଲେ କୋର୍ଟ ଜୟା ପ୍ରଦାଙ୍କ ପ୍ରତିଶୃତିକୁ ଖାରଜ କରିଦେଇଥିଲେ ।
ଏବେ ସରକାରଙ୍କ ଶ୍ରମବିଭାଗ ବୀମା ବିଭାଗର ଓକିଲ ଜୟା ପ୍ରଦାଙ୍କ ଆବେଦନ ଉପରେ ଆପତ୍ତି ଉଠାଇଥିଲେ । ଏହାପରେ କୋର୍ଟ ଜୟା ପ୍ରଦା ଓ ଏହି ମାମଲାରେ ଜଡିତ ଅନ୍ୟ ୩ଜଣଙ୍କୁ ୬ମାସ ଲେଖାଏଁ ଜେଲଦଣ୍ଡ ସହ ପ୍ରତ୍ୟେକଙ୍କୁ ୫ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଭିନେତ୍ରୀ ଜୟା ପ୍ରଦା ସମାଜବାଦୀ ପାର୍ଟି ଟିକେଟରୁ ଉତ୍ତର ପ୍ରଦେଶର ରାମପୁର ଲୋକସଭା ଆସନରୁ ୨୦୦୪ ଓ ୨୦୦୯ ମସିହାରେ ୨ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ୨୦୧୪ ରେ ସମାଜବାଦୀ ପାର୍ଟି ତାଙ୍କୁ ଟିକେଟ ନଦେବାରୁ ସେ ରାଷ୍ଟ୍ରୀୟ ଲୋକଦଳ ଟିକେଟରେ ବିଜନୌର ଆସନରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ୨୦୧୯ ରେ ପୁଣିଥରେ ରାମପୁର ଆସନରୁ ସେ ବିଜେପି ଟିକେଟରୁ ନିର୍ବାଚନ ଲଢିଥିଲେ ବି ପୁଣି ପରାଜିତ ହୋଇଥିଲେ ।