ମଧ୍ୟପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ ଘୋଷଣା

ଚଳିତବର୍ଷ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଶାସନ କ୍ଷମତାରେ ଥିବା ବିଜେପି ଓ ବିରୋଧୀ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରାଯିବା ସହ ଭୋଟରଙ୍କୁ ମନାଇବାକୁ ବିଭିନ୍ନ ପ୍ରକାର ଘୋଷଣାମାନ କରିଚାଲିଛନ୍ତି । ଏହି କ୍ରମରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ପ୍ରଦେଶ ଭୋଟରଙ୍କୁ କହିଛନ୍ତି କି, ଯଦି ୨୦୨୩ ବିଧାନସଭା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସେ ତେବେ ରାଜ୍ୟରେ ବିହାର ଭଳି ଜାତିଗତ ଜନଗଣନା କରାଯିବ ।

ମଙ୍ଗଳବାର ଦିନ ମଧ୍ୟପ୍ରଦେଶର ସାଗର ଠାରେ ଏକ ଜନସଭାକୁ ଉଦବୋଧନ ଦେଇ ଖଡଗେ କହିଛନ୍ତି କି କଂଗ୍ରେସ ସରକାର ଆସିଲେ ରାଜ୍ୟରେ ସନ୍ଥ ରବିଦାସଙ୍କ ନାମରେ ଏକ ବିଶ୍ୱବିଦ୍ୟାଳୟ ଖୋଲାଯିବ । କେବଳ ସେତିକି ନୁହେଁ ଖଡଗେ ମଧ୍ୟପ୍ରଦେଶ ପାଇଁ ଇସ୍ତାହାରର ପେଡି ଖୋଲିଛନ୍ତି । ସେ କହିଛନ୍ତି କି କଂଗ୍ରେସ ସରକାରକୁ ଆସିଲେ ରାଜ୍ୟର କୃଷକମାନଙ୍କ ଋଣ ଛାଡ କରାଯିବ । ରୋଷେଇ ଗ୍ୟାସ ସିଲିଣ୍ଡର ୫୦୦ଟଙ୍କାରେ ଉପଲବ୍ଧ ହେବ । ଏହାସହ ୧୮ବର୍ଷରୁ ଅଧିକ ମହିଳାଙ୍କୁ ମାସିକ ୧୫୦୦ଟଙ୍କା ଲେଖାଏ ଦିଆଯିବ । ରାଜ୍ୟର ବିଜୁଳି ଉପଭୋକ୍ତାଙ୍କୁ ମାସିକ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ଛାଡ କରାଯିବ । ଏସବୁ ସହ ସରକାରୀ କର୍ମଚାରୀଙ୍କ ପାଇଁ ପୁଣିଥରେ ପୁରୁଣା ପେନସନ ଲାଗୁ କରାଯିବା ସହ ରାଜ୍ୟରେ ଜାତିଗତ ଜନଗଣନା କରାଯିବ ।

ବିଜେପିକୁ ଟାର୍ଗେଟ୍ କରି ଖଡଗେ କହିଛନ୍ତି କି ବିଜେପିକୁ କ୍ଷମତାରୁ ଦୂରେଇ ନରଖିଲେ ସେମାନେ ଦେଶକୁ ବର୍ବାଦ କରିଦେବେ । ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି ଖଡଗେ କହିଛନ୍ତି କି, ୩ମାସ ହେବ ମଣିପୁର ଜଳୁଛି ହେଲେ ପ୍ରଧାନମନ୍ତ୍ରୀ ମଣିପୁର ଯାଉ ନାହାଁନ୍ତି ।

Related Articles

Back to top button