ଆଜି ରାଜ୍ୟରେ ପ୍ରବଳ ବର୍ଷା
ଆଜି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗର କରିଛି ପୂର୍ବାନୁମାନ । ଅଧିକାଂଶ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଅନୁଗୁଳ, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଏବଂ ବାକି ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ବିଜୁଳି ସହ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ନିଅଣ୍ଟିଆ ବର୍ଷା ହୋଇଥିବା ଜିଲ୍ଲା ସଂଖ୍ୟା ବୃଦ୍ଧି ପାଇ ୧୧ରେ ପହଞ୍ଚିଛି
ସୂଚନା ମୁତାବକ, ରାଜ୍ୟରେ ଆଜି ପ୍ରବଳ ବର୍ଷା ଓ ଘଡ଼ଘଡ଼ି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ୨ ଦିନ ପରେ ବର୍ଷା କମିବା ନେଇ ଆକଳନ କରାଯାଇଛି । ଜୁନ୍ ପହିଲାରୁ ଅଗଷ୍ଟ ୨୩ ମଧ୍ୟରେ ସ୍ୱାଭାବିକ ଭାବେ ୮୩୧.୮ ମିମି ବର୍ଷା ହେବା କଥା । ମାତ୍ର ଏବେ ସୁଦ୍ଧା ୭୫୦ ମିମି ବର୍ଷା ହୋଇଛି । ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଥିବା ବେଳେ ଗୋଟିଏରେ ଅଧିକ ଓ ୧୮ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ଜଣାପଡ଼ିଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣ ବର୍ଷା ହେବ । ମାତ୍ର ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟତଃ ଶୁଖିଲା ପାଗ ରହିବ । ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଉତ୍ତର ବାଂଲାଦେଶ ଓ ଉତ୍ତର ପଶ୍ଚିମବଙ୍ଗରେ ଲଘୁଚାପ କ୍ଷେତ୍ର ରହିବ ଯାହାଦ୍ୱାରା ଓଡ଼ିଶାରେ ବର୍ଷା ହେବ ନାହିଁ । ୨୯ ଓ ୩୦ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯଦି ତାହା ହୁଏ ତେବେ ତାହା ୨୪ ଘଣ୍ଟା ଭିତରେ ଅସଙ୍ଗଠିତ ହୋଇ ଅପସରି ଯିବ ଯାହା ଯାହାଫଳରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ମୌସୁମୀ ବ୍ରେକ୍ ରହିବ ।