ଶ୍ରୀମନ୍ଦିରରେ ପରିମାଣିକ ଟିକେଟ୍ ଦର୍ଶନ ଅରମ୍ଭ ପାଇଁ ପ୍ରସ୍ତୁତ ହେବ ଏସ୍ଓପି
ପୁରୀ: ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ପରିମାଣିକ ଟିକେଟ୍ ଦର୍ଶନ । ଏଥିପାଇଁ ଏସଓପି ପ୍ରସ୍ତୁତ ହେବ । ଏ ସଂକ୍ରାନ୍ତରେ ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅର୍ଥ ସବ୍ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୨୦୧୬ରୁ ପରିମାଣିକ ଟିକେଟ ଦର୍ଶନ ବନ୍ଦ ରହିଥିଲା । ସେପଟେ ଭିତରକାଠ ପର୍ଯ୍ୟନ୍ତ ଦର୍ଶନ ପାଇଁ କୌଣସି ଦେୟ ନ ରଖିବାକୁ ପ୍ରସ୍ତାବ ଦେଇଛନ୍ତି ସେବାୟତ ।
ପରିମାଣିକ ଟିକେଟ ଦ୍ୱାରା ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରିବା ସହ ଏଥିପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ରଖିବାକୁ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ପ୍ରସ୍ତାବ ରଖିଛନ୍ତି । ବୈଠକରେ ହୋଇଥିବା ଅନ୍ୟାନ୍ୟ ନିଷ୍ପତ୍ତି ଗୁଡିକ ମଧ୍ୟରେ ଶ୍ରୀମନ୍ଦିର ପରିସରରେ ମା’ ମହାଲକ୍ଷ୍ମୀଙ୍କ ମନ୍ଦିରର ୪ଟି ସ୍ଥାନରେ ଦାନ ବାକ୍ସ ବସାଯିବାକୁ ସ୍ଥିର ହୋଇଛି ।
ଭକ୍ତ ନିବାସରେ ସିସିଟିଭି ଲଗାଇବା ସହ ମାହାଲ ନିଲାମ ନେଇ ଆଲୋଚନା ହୋଇଥିଲା । ସେହିପରି ରୋହିଣୀ କୁଣ୍ଡ ଓ ଗୁଣ୍ଡିଚା ମନ୍ଦିର ନିଲାମ ପାଇଁ ଟେଣ୍ଡର କରାଯିବ ଏବଂ ଏଥିପାଇଁ ଏସଓପି ପ୍ରସ୍ତୁତ କରାଯିବା ଲାଗି ମଧ୍ୟ ନିଷ୍ପତ୍ତି ନିଆଯାଇଛି ।