ଆସନ୍ତା କାଲି ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ

ଆସନ୍ତାକାଲି ବୁଧବାର ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅର୍ଥାତ ପବିତ୍ର ଜନ୍ମାଷ୍ଟମୀ । ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଗର୍ଭ ଉଦକ ବନ୍ଦାପନା । ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସଂନ୍ଧ୍ୟା ଆଳତି ସମୟରେ ଠାକୁରଙ୍କୁ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯିବ । ସଂନ୍ଧ୍ୟାଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ । ଟେରା ବନ୍ଧା ହେବା ପରେ ମହାପ୍ରଭୁଙ୍କ ନିକଟରେ ଯେଉଡ଼ ଭୋଗ ଅର୍ଥାତ ଶାଗ , ତରକାରୀ, ପିଠା, ଝିଲି, ଖୁରି ଆଦି ରୋଷଘରୁ ଆସି ଅଣସର ପିଣ୍ଡିରେ ରଖାଯିବ। ମୁଦିରସ୍ତ ସେବାୟତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିବେ। ପୂଜାପଣ୍ଡା ସେବାୟତ ପଞ୍ଚାକ୍ଷର ମନ୍ତ୍ରରେ ପୂଜା କରିବା ସହ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରିବେ ।

ଯେଉଡ଼ ଭୋଗ ଏବଂ ଗର୍ଭ ଉଦକ ବନ୍ଦାପନା ସମ୍ପର୍କରେ ପରମ୍ପରା ରହିଛି ଯେ ଗର୍ଭବତୀ ନାରୀମାନେ ନିଜର ସୁଖ ପ୍ରସବ ଲାଗି ଯେଉଡ଼ ଫଳ ବା ଖାଦ୍ୟ ଖାଇଥାନ୍ତି । ଜନ୍ମାଷ୍ଟମୀ ପୂର୍ବଦିନ ଶ୍ରୀଜଗନ୍ନାଥ ଦେବକୀ ରୂପ ଧାରଣ କରି ଏହି ଯେଉଡ଼ ଭୋଗ ଖାଇଥାନ୍ତି ଏବଂ ତାଙ୍କ ଗର୍ଭରେ ଭଗବାନ ଶ୍ରୀକୃଷ୍ଣ ରହିଥିବାରୁ ତାଙ୍କୁ ବନ୍ଦାପନା କରାଯାଏ। ତାହାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ । ଲୀଳାମୟ ଠାକୁରଙ୍କ ଏହା ଏକ ଅଲୌକିକ ଲୀଳା। ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ ତାଙ୍କଠାରୁ ଶ୍ରୀକୃଷ୍ଣ ସୃଷ୍ଟି ବୋଲି ଗବେଷକ ମାନେ ମତବ୍ୟକ୍ତ କରିଛନ୍ତି । ଯାହାପାଇଁ ଜନ୍ମାଷ୍ଟମୀ ପୂର୍ବଦିନ ଏହି ପୂଜା ପରମ୍ପରା କରାଯାଏ ।

Related Articles

Back to top button