ସାରା ଦେଶରେ ମହାଆଡମ୍ବରରେ ପାଳିତ ହେଉଛି ଜନ୍ମାଷ୍ଟମୀ
ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପବିତ୍ର ଜନ୍ମାଷ୍ଟମୀ ତଥା ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ଆଜି ସାରା ଦେଶରେ ଆନନ୍ଦ ଉଲ୍ଲାଷର ସହ ପାଳନ କରାଯାଉଛି । ଏହି ଅବସରରେ ଆଜି ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି । ସେହିପରି ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର କୃଷ୍ଣ ଜନ୍ମ ନୀତି ଅନୁଷ୍ଠିତ ହୋଇଛି । ଜନ୍ମାଷ୍ଟମୀ ଅବସରରେ ଭୁବନେଶ୍ୱର ସ୍ଥିତ ଇସ୍କନ ମନ୍ଦିର, ରାମ ମନ୍ଦିର ଆଦି ସ୍ଥାନରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଭିଡକୁ ଦୃଷ୍ଟିରେ ରଖି ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛିା । ଏହା ବ୍ୟତୀତ ବିଭିନ୍ନ ମନ୍ଦିର, ସାମାଜିକ ଅନୁଷ୍ଠାନ ଏବଂ ସ୍କୁଲ ପକ୍ଷରୁ କୃଷ୍ଣ ବେଶ ପ୍ରତିଯୋଗିତାର ଆୟୋଜନ କରାଯାଇଛି ।
ତେବେ ଆଜି ଏହି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ରହିଛି ସ୍ୱତନ୍ତ୍ର ନୀତିକାନ୍ତି । ଗତକାଲି ପ୍ରସବ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯେଉଡ ଭୋଗ ସହ ଗର୍ଭଉଦକ ବନ୍ଦାପନା କରାଯାଇଥିବା ବେଳେ ଆଜି ସଂନ୍ଧ୍ୟାଧୂପ ଶେଷ ହେବାପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ମହାଜନ ସେବକଙ୍କ ଦ୍ଵାରା ଅନୁଷ୍ଠିତ ହେବ ଶ୍ରୀକୃଷ୍ଣ ଜନ୍ମନୀତି । ଦେବକୀ ଓ ବସୁଦେବ ବେଶରେ ଜନ୍ମ ଚକଡାରେ ନିଶାର୍ଦ୍ଧରେ ଜନ୍ମ ନେବେ ପ୍ରଭୁ କୃଷ୍ଣ ।
ଆଜିଠାରୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆରମ୍ଭ ହୋଇ କଂସବଧ ଲୀଳା ନୀତି ପର୍ଯ୍ୟନ୍ତ ଚାଲୁରହିବ । ଶ୍ରୀମନ୍ଦିର ସହ ଜଡିତ ବିଭିନ୍ନ ମଠବାଡି ମାନଙ୍କରେ ଆଜି ରାତିରେ ଶ୍ରୀକୃଷ୍ଣ ଜନ୍ମନୀତି ମଧ୍ୟ ଅନୁଷ୍ଠିତ ହେବ । ସଂନ୍ଧ୍ୟାଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଭଣ୍ତାର ଘର ସମ୍ମୁଖ ଭାଗରେ ପୂଜାପଣ୍ତା ସେବାୟତ ମାନେ ପଞ୍ଚବର୍ଣ୍ଣ ମୁରୁଜରେ ଜନ୍ମମଣ୍ତଳୀ ଅଙ୍କନ କରିବେ । ସେଠାରେ ସୁନାର କୃଷ୍ଣ ମୁର୍ତ୍ତି ରଖାଯାଇ ଦକ୍ଷିଣ ଘରୁ ମଦନମୋହନଙ୍କୁ ଅଣାଯିବା ନେଇ କାର୍ଯ୍ୟକ୍ରମ ରହିଛି ।
ଏହାପରେ ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ଚରିତ୍ର ହୋଇ କୃଷ୍ଣ ଜନ୍ମନୀତି ପାଳନ କରିବେ । ପରେ ମଦନମୋହନଙ୍କୁ ନାଭିକଟାମଣ୍ତପକୁ ନିଆଯାଇ କୃଷ୍ଣଜନ୍ମ ଠାରୁ ଉପନୟନ ପର୍ୟ୍ୟନ୍ତ ବିଭିନ୍ନ ନୀତିକାନ୍ତି କରାଯିବ । ଶେଷରେ ଜଗମୋହନ ନିକଟରେ ଏକ ଦୋଳିରେ ମଦନମୋହନଙ୍କୁ ରଖାଯାଇ ଶ୍ରୀକୃଷ୍ଣ ଜନ୍ମନୀତି ଶେଷ କରାଯିବ ବୋଲି ଜଣାଯାଇଛି ।