ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ

ପୁରୀ: ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ବିଭିନ୍ନ ବେଶ । ଭଗବାନ କୃଷ୍ଣଙ୍କ ବିଭିନ୍ନ ବେଶ ନେଉଛନ୍ତି ମହାପ୍ରଭୁ । ଆଜି ହେବ ପ୍ରଳମ୍ବାସୁରବଧ ବେଶ । ଭାଦ୍ରବ କୃଷ୍ଣ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଶ୍ରୀ ବଳଭଦ୍ରଙ୍କ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ । ଏହି ବେଶରେ ପ୍ରଭୁ ବଳଭଦ୍ର ଦେବଙ୍କ ଏକ ହସ୍ତରେ ହଳ ଓ ଅନ୍ୟ ହାତରେ ମୂଷଳ ଶୋଭାପାଏ । ପ୍ରାୟ 4 ଫୁଟ ଉଚ୍ଚତାର ଏକ କାଷ୍ଠ ନିର୍ମିତ ପ୍ରଳମ୍ବାସୁର ମୂର୍ତ୍ତି ରତ୍ନସିଂହାସନସ୍ଥ ବଳଭଦ୍ର ଦେବଙ୍କ ନିମ୍ନ ଭାଗରେ ରଖାଯାଏ ।

ଅସୁରର ସ୍କନ୍ଧ ଏବଂ ଭୁଜରେ ବଳଭଦ୍ର ବସିଥିବା ଭଳି ଦୃଶ୍ୟ ବେଶରେ ସ୍ପଷ୍ଟ ହୁଏ । ଏହି ବେଶ ମଧ୍ୟାହ୍ନଧୂପ ପରେ ଅନୁଷ୍ଠିତ ହୋଇ ସନ୍ଧ୍ୟାଧୂପ ସରିବା ଯାଏଁ ରହିଥାଏ ।

ଦ୍ୱାପର ଯୁଗରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନରେ ଗୋପାଳକ ମାନଙ୍କ ସହ ଖେଳୁଥିଲେ । ସେହି ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ପ୍ରଳମ୍ବାସୁର ନାମକ ଜଣେ ପ୍ରଚଣ୍ଡ ବଳର ଅଧିକାରୀ ଏକ ଦୈତ୍ୟକୁ କଂସ ପଠାଇଥିଲେ । ପ୍ରଳମ୍ବାସୁର ପ୍ରଭୁ ବଳଭଦ୍ରଙ୍କୁ ଆକ୍ରମଣ କରି ଉପରକୁ ଟେକି ନେଇଯିବା ସମୟରେ ସ୍ୱୟଂ ବଳଭଦ୍ର ମହାପ୍ରଭୁ ମୁଷ୍ଟିକା ଘାତ କରି ପ୍ରଳମ୍ବାସୁରକୁ ବିନାଶ କରିଥିଲେ ।

ତେବେ ମହାପ୍ରଭୂଙ୍କର କାଳୀୟଦଳନ ବେଶ ସରିବା ପରେ ଆଜି ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ । କାଷ୍ଠ, ବେତ, କଳା କନା, ଧଳା କନା ଓ ନୀଳ କନାରେ 4 ଫୁଟର ଏକ ବିରାଟକାୟ କାଷ୍ଠ ନିର୍ମିତ ପ୍ରଳନ୍ଦାସୁର ମୂର୍ତ୍ତିକୁ ରତ୍ନ ସିଂହାସନସ୍ଥ ବଳଭଦ୍ରଙ୍କ ନିମ୍ନ ଭାଗରେ ସଜ୍ଜିତ କରାଯାଏ । ପ୍ରଳମ୍ବାସୁର ବଧ ବେଶରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ର ସାଧାରଣ ବେଶରେ ବିରାଜମାନ କରିଥିବାବେଳେ ଅସୁରର ସ୍କନ୍ଧ ଓ ଦୁଇ ଭୁଜରେ ପ୍ରଭୁ ବଳଭଦ୍ର ବସିଥିବା ଭଳି ଦୃଶ୍ୟ ହୁଏ । ତେବେ ଏହି ଦୃଶ୍ୟ ଦେଖିବା ଲାଗି ଆଜି ପୁରୀରେ ପ୍ରବଳ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ଏହି ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

Related Articles

Back to top button