୩ ଦିନ ପ୍ରବଳ ବର୍ଷା, ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି
ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇଛି। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏଥିଯୋଗୁ ଆସନ୍ତା ୩ ଦିନ ଯାଏ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଏ ନେଇ ସତର୍କ ସୂଚନା ଜାରି କରାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ, ୨୦ ତାରିଖ ଅର୍ଥାତ ବୁଧବାର କଳାହାଣ୍ଡି, କନ୍ଧମାଳ, ସୋନପୁର, ବଲାଙ୍ଗିର, ବୌଦ୍ଧ, ସମ୍ୱଲପୁର, ଅନୁଗୋଳ, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୨୦ ସେ.ମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି।
ସେହିପରି ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଟକ, ସୁନ୍ଦରଗଡ଼, ଦେବଗଡ଼, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆକଳନ କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକୁ ୟେଲୋୱାର୍ଣ୍ଣିଂ ଜାରି କରିଛି। ତେବେ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଆଶଙ୍କା ରହୁଥିବାରୁ ବର୍ଷା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଗୁରୁବାର ମଧ୍ୟ ଅନେକ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା କରି ପାଣିପାଗ କେନ୍ଦ୍ର ଆଲର୍ଟ ଜାରି କରିଛି।