ଆଜି ପଞ୍ଚୁକର ଦ୍ୱିତୀୟ ଦିନ । ବାଙ୍କଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ଆଜି କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥି ବା ପଞ୍ଚୁକର ଦ୍ୱିତୀୟ ଦିନ । ଶ୍ରୀମନ୍ଦିରରେ ବାଙ୍କଚୂଡ଼ ବେଶରେ ଦର୍ଶନ ଦେଇଥାନ୍ତି ମହାପ୍ରଭୁ । ଏହି ବେଶରେ ମହାପ୍ରଭୁ ସୁବର୍ଣ୍ଣର ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି ।  ଯେତେବେଳେ ଅକ୍ରୁର ଗୋପପୁରକୁ ଯାଇଥିଲେ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମଥୁରାକୁ ଆଣିବାକୁ, ସେହି ସମୟରେ ବ୍ରଜ ଦାଣ୍ଡରେ ଅକ୍ରୁର ଏହି ବେଶରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ।

ଗତକାଲି ପଞ୍ଚୁକର ପ୍ରଥମ ଦିନରେ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଇଥିଲାବେଳେ ଆଜି ପ୍ରଭୁଙ୍କ ବାଙ୍କଚୂଡ଼ ବେଶ। ରତ୍ନ ସିଂହାସନରେ ବିଜେ କରିଥିବା ପ୍ରଭୁ ଜଗନ୍ନାଥ ,ବଳଭଦ୍ର ଓ ମା ସୁଭଦ୍ରାଙ୍କୁ ଅବକାଶ ନୀତି ପରେ ସୁନାର ଅଳଙ୍କାରରେ ବିଭୂଷିତ କରାଯାଇଥାଏ । ଏହି ବେଶରେ ମହାପ୍ରଭୁ ଚୁଡା ମଧ୍ୟ ଧାରଣ କରିଥାନ୍ତି। ମସ୍ତକରେ ଏହି ଚୁଡା ବା ଚୁଳ ଦକ୍ଷିଣ ଦିଗକୁ ଢଳି ରହିଥାଏ। ଏଣୁ ମହାପ୍ରଭୁଙ୍କ ଏହି ବେଶକୁ ବାଙ୍କଚୁଡ଼ ବେଶ କୁହାଯାଏ ।

ବାଙ୍କଚୂଡ଼ ବେଶର ବିଶେଷତ୍ୱ ହେଉଛି, ବଡ଼ଠାକୁର ବଳଭଦ୍ରଙ୍କ ଏହି ବେଶରେ ମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଖୋସା ପଡ଼େ। ଏହି ଖୋସାର(ବେଣି) ଅଗ୍ରଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ। ଏକ ଛୋଟ ସ୍ୱର୍ଣ୍ଣ କିରୀଟ ମହାପ୍ରଭୁଙ୍କ କପାଳର ଶୀର୍ଷ ଭାଗରେ ଶୋଭା ପାଇଥାଏ। ତେବେ ଆଜିର ତିଥିରେ ମହାପ୍ରଭୁଙ୍କ ଏହି ଚିତାକର୍ଷକ ବେଶ ଯିଏ ଦର୍ଶନ କରିଥାନ୍ତି ତାଙ୍କ ଜନ୍ମଜନ୍ମାନ୍ତର ପାପରୁ ମୁକ୍ତିମିଲେ ବୋଲି ବିଶ୍ୱାସ ରହିଛି ।

Related Articles

Back to top button