ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ
ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ । ଏହା ନେଇପାରେ ବାତ୍ୟାର ରୂପ । ଯଦି ଲଘୁଚାପଟି ବାତ୍ୟାର ରୂପ ନିଏ ତେବେ କେଉଁଠି ଲ୍ୟାଣ୍ଡଫଲ୍ କରିବ ତାକୁ ନେଇ ବିଭିନ୍ନ ମଡେଲ ଆକଳନ କରିବା ଆରମ୍ଭ କରିଛନ୍ତି ।କିଛି ମଡେଲ ବାତ୍ୟାଟି ବାଂଲାଦେଶରେ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରୁଥିବା ବେଳେ କିଛି ମଡେଲ ଆନ୍ଧ୍ର ଉପକୂଳ ଆଡକୁ ଇଙ୍ଗିତ କରୁଛି । ଆନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲ୍ସ ବାତ୍ୟାର ଲ୍ୟାଣ୍ଡଫଲ ନେଇ ଆକଳନ କରି ନଥିଲେ ମଧ୍ୟ ବାତ୍ୟାର ପ୍ରଭାବ ଭାରତ କିମ୍ବା ବାଂଲାଦେଶରେ ପଡ଼ିପାରେ ବୋଲି ଆକଳନ କରିଛନ୍ତି ।
ବାତ୍ୟା ନେଇ ଆଇଏମଡି ପକ୍ଷରୁ କୌଣସି ଆକଳନ କରାଯାଇ ନଥିବା ବେଳେ କେବଳ ଅବପାତ ହେବ ବୋଲି ସୂଚନା ଦିଆଯାଇଛି । ଆଜି ସୁଦ୍ଧା ଦକ୍ଷିଣ ଆଣ୍ଡାମାନ୍ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଲଘୁଚାପ ରୂପ ନେବ । ଦକ୍ଷିଣ ଆଣ୍ଡାମାନ୍ ସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପରେ ଲଘୁଚାପଟି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ୨୯ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ତେବେ ଅବପାତ ପ୍ରଭାବରେ କେଉଁଠି ବର୍ଷା ହେବ ସେ ନେଇ କୌଣସି ଆକଳନ ହୋଇନି । ଲଘୁଚାପ ସୃଷ୍ଟି ହେବାପରେ ତା’ର ଗତି କେଉଁଆଡେ ରହୁଛି ଓ କେଉଁ ଜିଲ୍ଲାରେ ବର୍ଷାର ପ୍ରଭାବ ରହିବ ସେ ନେଇ ସ୍ପଷ୍ଟ ସୂଚନା ମିଳିବ ।