ଆଜି ଦେଶ ପାଳୁଛି ବିଜୟ ଦିବସ
ଆଜି ଦେଶ ପାଳୁଛି ବିଜୟ ଦିବସ । ୧୯୭୧ ମସିହା ଡିସେମ୍ବର ୩ରୁ ଆରମ୍ଭ ହୋଇ ଦୀର୍ଘ ୧୩ ଦିନ ଯାଏ ଚାଲିଥିବା ଇଣ୍ଡୋ-ପାକ୍ ଯୁଦ୍ଧରେ ପାକ୍ ସେନାକୁ ପରାସ୍ତ କରି ଡିସେମ୍ବର ୧୬ ତାରିଖରେ ବିଜୟ ହାସଲ କରିଥିଲା ଭାରତୀୟ ସେନା । ସେହିଦିନଠାରୁ ଡିସେମ୍ବର ୧୬ ତାରିଖକୁ ବିଜୟ ଦିବସ ଭାବେ ପାଳନ କରୁଛି ସାରାଦେଶ । ଆସନ୍ତୁ ଜାଣିବା କାହିଁକି ପାଳନ ହୁଏ ବିଜୟ ଦିବସ ।୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧର କାରଣ ଓ କଣ ଥିଲା ଓ ଏହାର ଫଳାଫଳ ବିଷୟରେ ।
ଏକବିଂଶ ଶତାବ୍ଦୀରେ ପ୍ରଥମଥର ପାଇଁ ଭାରତ, ଏକ ନୂଆ ଦେଶ ସୃଷ୍ଟି କରିଥିବା ସାରା ବିଶ୍ୱକୁ ନିଜର ଶକ୍ତି ଦେଖାଇ ଦେଇଥିଲା । ୧୯୭୧ ମସିହା ପୂର୍ବରୁ ବାଂଲାଦେଶ ପାକିସ୍ତାନର ଏକ ଅଂଶ ଥିଲା । ଯାହାକୁ ‘ପୂର୍ବ ପାକିସ୍ତାନ’ ବୋଲି କୁହାଯାଉଥିଲା। ତେବେ ବର୍ତ୍ତମାନର ପାକିସ୍ତାନକୁ ପୂର୍ବରୁ ‘ପଶ୍ଚିମ ପାକିସ୍ତାନ’ କୁହାଯାଉଥିଲା । ‘ପୂର୍ବ ପାକିସ୍ତାନ’ର ଲୋକମାନେ ବର୍ଷ ବର୍ଷ ଧରି ପାକିସ୍ତାନୀ ସେନାର ଅତ୍ୟାଚାରକୁ ବିରୋଧ କରି ଆନ୍ଦୋଳନ କରୁଥିଲେ । ସେଠାକାର ବାସିନ୍ଦାଙ୍କୁ ମାଡ ଦିଆଯାଉଥିଲା, ଶୋଷଣ କରାଯାଉଥିଲା, ଦୁଷ୍କର୍ମ ସହ ହତ୍ୟା ମଧ୍ୟ କରାଯାଉଥିଲା । ଏହି ଅତ୍ୟାଚାର ବିରୋଧରେ ଭାରତ ବାଂଲାଦେଶୀମାନଙ୍କୁ ଉଦ୍ଧାର କରିବାକୁ ପଣ କରି ଆଗେଇ ଆସିଥିଲା ।
୨୭ ମାର୍ଚ୍ଚ ୧୯୭୧ରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପୂର୍ବ ପାକିସ୍ତାନକୁ ସ୍ୱାଧୀନତା ଦେବାକୁ ଏବଂ ଶରଣାର୍ଥୀଙ୍କୁ ରକ୍ଷା କରିବା ପାଇଁ ପାକିସ୍ତାନ ସହ ଯୁଦ୍ଧ କରିବାକୁ ନିଷ୍ପତି ନେଇଥିଲେ । ୧୯୭୧ ଡ଼ିସେମ୍ବର୩ ରେ ପାକିସ୍ତାନ ପକ୍ଷରୁ ପ୍ରାଥମିକ ଯୁଦ୍ଧ ଘୋଷଣା କରାଯାଇଥିଲା । ଏହି ଦିନ ସନ୍ଧ୍ୟାରେ ଭାରତର ଉତ୍ତର-ପଶ୍ଚିମରେ ଅବସ୍ଥିତ ଏୟାରଫିଲ୍ଡ ଉପରେ ପାକିସ୍ତାନ ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । ସେହି ଦିନ ରାତିରେ ଭାରତ ପ୍ରତ୍ୟୁତ୍ତରରେ ପାକିସ୍ତାନ ଉପରେ ପାଲଟା ଆକ୍ରମଣ କରି ଏହାର ଉଚିତ ଜବାବ ଦେଇଥିଲା । ଏହାର ପରଦିନ ପ୍ରଧାନମନ୍ତ୍ରୀ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ । ଡିସେମ୍ବର ୪ଓ ୫ରାତିରେ କରାଚିର ଏକ ବନ୍ଦର ଉପରେ ଭାରତୀୟ ନୌସେନା ଆକ୍ରମଣ କରିଥିଲା। ଏହି ଆକ୍ରମଣ ପରେ ପାକିସ୍ତାନୀ ନୌବାହିନୀ ଭାରତର ଏକ ଜାହାଜ ଉପରେ ଆକ୍ରମଣ କରି ଜାହାଜକୁ ପାଣିରେ ବୁଡ଼େଇ ଦେଇଥିଲେ। ଡିସେମ୍ବର ୮ଓ ୯ ରାତିରେ କରାଚିର ଆଉ ଏକ ବନ୍ଦର ଉପରେ ଭାରତୀୟ ସେନା ଆକ୍ରମଣ କରିଥିଲା। ଏହି ଯୁଦ୍ଧରେ ଭାରତ ଓ ପାକିସ୍ତାନ ଉଭୟର ବହୁତ କ୍ଷୟ କ୍ଷତି ହୋଇଥିଲା କିନ୍ତୁ ପାକିସ୍ତାନକୁ ଅଧିକ କ୍ଷତି ସହିବାକୁ ପଡିଥିଲା ।
ଡିସେମ୍ବର ୧୬ରେ ପ୍ରାୟ ୯୩ ହଜାର ପାକିସ୍ତାନୀ ସୈନିକ ଭାରତ ନିକଟରେ ଆତ୍ମସମର୍ପଣ ପରେ ଏହି ଯୁଦ୍ଧର ସମାପ୍ତି ହୋଇଥିଲା। ଏହି ଯୁଦ୍ଧର ପରିସମାପ୍ତି ସହିତ ବାଂଲାଦେଶ ନାମରେ ଏକ ନୂତନ ଦେଶ ତିଆରି ହୋଇଥିଲା ।