୨୫ ଟଙ୍କାରେ ଭାରତ ଚାଉଳ ଯୋଗାଇ ଦେବେ କେନ୍ଦ୍ରସରକାର
ଭାରତ ଅଟା ଓ ଭାରତ ଡାଲି ପରେ ଏବେ କେନ୍ଦ୍ର ସରକାର ଗରିବ ଲୋକମାନଙ୍କୁ ଭାରତ ଚାଉଳ ଯୋଗାଇ ଦେବାକୁ ଯୋଜନା କରିଛନ୍ତି । ଗରିବ ଲୋକଙ୍କ ଉପରେ ଯେଭଳି ଦରବୃଦ୍ଧି ବୋଝ ନହେବ ସେଥିପାଇଁ ସରକାର ଏହି ଯୋଜନା ଲାଗୁ କରିବାକୁ ଯାଉଛନ୍ତି । ବଜାରରେ ଚାଉଳର ଦାମ ଯେତେ ବୃଦ୍ଧି ହେଲେ ମଧ୍ୟ କେନ୍ଦ୍ର ସରକାର ଗରିବ ଲୋକମାନଙ୍କୁ କିଲୋପ୍ରତି ୨୫ ଟଙ୍କାରେ ଭାରତ ଚାଉଳ ଯୋଗାଇ ଦେବେ ବୋଲି ଜଣାପଡିଛି ।ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ଏହି ଭାରତ ଚାଉଳ କିଲୋ ପ୍ରତି ୨୫ ଟଙ୍କାରେ ବିକ୍ରି କରାଯିବ । ଏହି ଚାଉଳ ସରକାରୀ ଏଜେନ୍ସି ମାନଙ୍କ ମାଧ୍ୟମରେ ଗରିବ ଲୋକଙ୍କୁ ଯୋଗାଇ ଦିଆଯିବ । ଏଥିପାଇଁ ନ୍ୟାସନାଲ ଏଗ୍ରିକଲଚର କୋ-ଅପରେଟିଭ ମାର୍କେଟିଂ ଫେଡେରେଶନ ଅଫ ଇଣ୍ଡିଆ , ନ୍ୟାସନାଲ କୋ-ଅପରେଟିଭ କଞ୍ଜ୍ୟୁମର ଫେଡେରେଶନ ଅଫ୍ ଇଣ୍ଡିଆ ଦ୍ୱାରା କେନ୍ଦ୍ରୀୟ ଭଣ୍ଡାର ଦୋକାନ ଓ ମୋବାଇଲ ଭ୍ୟାନ ମାଧ୍ୟମରେ ଗରିବ ଲୋକଙ୍କୁ ଯୋଗାଇ ଦିଆଯିବ ।
ଉପଭୋକ୍ତା ମନ୍ତ୍ରଣାଳୟର ପରିସଂଖ୍ୟାନ ମୁତାବକ ଭାରତରେ ବଢୁଥିବା ଚାଉଳର ଦାମକୁ ନଜରରେ ରଖି ଗରିବ ଲୋକଙ୍କୁ ଶସ୍ତାରେ ଚାଉଳ ଯୋଗାଇ ଦେବାକୁ ସରକାର ଏଭଳି ଯୋଜନା କରିଛନ୍ତି । ଗତବର୍ଷ ତୁଳନାରେ ଭାରତୀୟ ବଜାରରେ ଚଳିତ ବର୍ଷ ୧୪.୧ ପ୍ରତିଶତ ଚାଉଳର ଦାମ ବୃଦ୍ଧି ପାଇଛି । ଏବେ ଭାରତୀୟ ବଜାରରେ ଚାଉଳ କିଲୋପ୍ରତି ଦାମ ୪୩.୩ ଟଙ୍କା ରହିଛି ।
ଏସବୁ ଭିତରେ ସରକାର ଟମାଟୋ, ଡାଲି ଓ ଅଟା, ପିଆଜ ଶସ୍ତାରେ ବାଣ୍ଟୁଥିବା ନେଇ ଖବର ଆସୁଥିଲେ ବି ତାହା ବାସ୍ତବରେ ଲୋକଙ୍କ ପାଖରେ ପହଂଚୁଛି କି? ବୋଲି ପ୍ରଶ୍ନ ଉଠୁଛି । କାରଣ ସରକାର ଯେତେବେଳେ ଶସ୍ତା ଟମାଟୋ ଓ ଶସ୍ତା ପିଆଜ ବିକ୍ରି କରୁଥିଲେ ତାହା ନାମକୁ ମାତ୍ର ଥିଲା । ଏହାଦ୍ୱାରା ୧୦ ପ୍ରତିଶତ ଗରିବ ଲୋକ ଉପକୃତ ହୋଇନଥିବା ଜଣାପଡିଛି । ସେହିଭଳି ଭାରତ ଅଟା କେଉଁଠି ମିଳୁଛି ତାହା ଏବେ ବି ୯୯ ପ୍ରତିଶତ ଲୋକ ଜାଣିନାହାଁନ୍ତି । ସେହିଭଳି ଭାରତ ଚାଉଳ ଗରିବ ଲୋକଙ୍କୁ କେତେ ସହାୟକ ହେବ ତାହା ସମୟ କହିବ ।