ରାଜ୍ୟର ଉତ୍ତର-ପଶ୍ଚିମ ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା
ରାଜ୍ୟର ଉତ୍ତର-ପଶ୍ଚିମ ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ଅଛି । ଶୁକ୍ରବାର ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝରର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ । ଶନିବାର ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର ଓ ମୟୂରଭଞ୍ଜର ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ବାକି ଅଞ୍ଚଳରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଶୀତ ବଢ଼ିବାର ବିଶେଷ ସମ୍ଭାବନା ନାହିଁ ।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳର କେତେକ ଅଞ୍ଚଳରେ କୁହୁଡ଼ି ରହିବ । ଆସନ୍ତା ୩ ଦିନ ଯାଏଁ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ କହିଛି, ୭ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ଘନ କୁହୁଡ଼ି ଘେରିପାରେ । ଆଜି ସକାଳୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ନୟାଗଡ଼, ଖୋର୍ଦ୍ଧା, କଟକ ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ଅଳ୍ପରୁ ମଧ୍ୟମରୁ ଘନ କୁହୁଡ଼ି ଘେରି ରହିଛି ।ସେହିପରି ଲମତାପୁଟରେ ହାଡ଼ଭଙ୍ଗା ଶୀତ ଲହରୀ ଜାରି ରହିଛି । ଦୈନିକ ୭ ଡିଗ୍ରୀ ତଳକୁ ରହୁଛି ପାରଦ । କୋରାପୁଟର କାଶ୍ମୀର ନାମରେ ଜଣାଶୁଣା ଲମତାପୁଟ । ଦିନ ୧୨ଟା ଯାଏ କୁହୁଡି ଘେରାରେ ରହୁଛି ସାରା ଅଞ୍ଚଳ । ପ୍ରବଳ କୁହୁଡି ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଦେଲାଣି l