ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁସାରେ ପୁଣି ଅମ୍ବାନୀଙ୍କୁ ପଛରେ ପକାଇ ଭାରତର ସବୁଠୁ ଧନୀ ବ୍ୟକ୍ତି ହେଲେ ଆଦାନୀ
ପୁଣି ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ। ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁସାରେ, ଆଦାନୀ ଗ୍ରୁପ୍ ଅଫ୍ କମ୍ପାନୀଜ୍ର ଅଧ୍ୟକ୍ଷ ଗୌତମ ଆଦାନୀ ପୁଣି ଥରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଭାରତର ସବୁଠୁ ଧନୀ ବ୍ୟକ୍ତି ପାଲଟିଛନ୍ତି। ଅଦାନୀ ବିଶ୍ୱ ରାଙ୍କିଙ୍ଗ୍ରେ ଶ୍ରେଷ୍ଠ ୧୨ରେ ସ୍ଥାନ ପାଇଥିବାବେଳେ ଅମ୍ବାନୀ ୧୩ତମ ସ୍ଥାନରେ ରହିଛନ୍ତି। ମୋଟ୍ ଆୟ ବୃଦ୍ଧି ସହିତ ଆଦାନୀ ଗ୍ରୁପ୍ ମୁଖ୍ୟ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମଧ୍ୟ ପାଲଟିଛନ୍ତି। ଗତବର୍ଷ ତୁଳନାରେ ଉଭୟ ଆଦାନୀ ଏବଂ ଅମ୍ବାନୀଙ୍କ ରାଙ୍କିଙ୍ଗ୍ରେ ଉନ୍ନତି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଗୌତମ ଆଦାନୀଙ୍କ ସମ୍ପତ୍ତି ୭.୬ ବିଲିୟନ ଡଲାର ବୃଦ୍ଧି ପାଇ ୯୭.୬ ବିଲିୟନ ଡଲାରରେ ପହଞ୍ଚିଛି। ଅପରପକ୍ଷେ, ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୯୭ ବିଲିୟନ ଡଲାର ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କ ଆୟ ୬୬୫ ମିଲିୟନ ଡଲାର ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ, ଜାନୁୟାରୀ ୩, ୨୦୨୪ ରେ ଆଦାନୀ-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଗୌତମ ଆଦାନୀଙ୍କ କମ୍ପାନୀର ଶେୟାର ମୂଲ୍ୟ ଦ୍ରୁତ ଗତିରେ ମଜଭୂତ ହୋଇଛି, ଏହି କାରଣରୁ ତାଙ୍କ ବାର୍ଷିକ ଆୟ ବୃଦ୍ଧି ପାଉଛି। ଆଦାନୀ-ହିଣ୍ଡେନବର୍ଗ ମାମଲାରେ ସେବି ଦ୍ୱାରା କରାଯାଇଥିବା ତଦନ୍ତକୁ ସନ୍ତୋଷଜନକ କହି ସୁପ୍ରିମକୋର୍ଟ ମାର୍କେଟ ନିୟାମକ ସେବିକୁ ମୋଟ ୨୪ରୁ ବାକି ୨ଟି ମାମଲାର ଯାଞ୍ଚ ପାଇଁ ଅତିରିକ୍ତ ୩ ମାସ ସମୟ ଦେଇଛନ୍ତି।