ଆଜି ବହୁ ପ୍ରତୀକ୍ଷିତ ଦଶପଲ୍ଲା ରେଳ ଷ୍ଟେସନ ଲୋକାର୍ପିତ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଆଜି ବହୁ ପ୍ରତୀକ୍ଷିତ ଦଶପଲ୍ଲା ରେଳ ଷ୍ଟେସନ ଲୋକାର୍ପିତ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏଥିସହ ସବୁଜ ପତାକା ଦେଖାଇ ସେଠାରୁ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏବେ ଦଶପଲ୍ଲାରୁ ୪ଟି ଟ୍ରେନ ଚଳାଚଳ କରିବ। ୨ଟି ପାସେଞ୍ଜର ଏବଂ ଗୋଟିଏ ଲେଖାଏଁ ଏକ୍ସପ୍ରେସ ଓ ମେମୁ ଦଶପଲ୍ଲାକୁ ନିୟମିତ ରେଳସେବା ଯୋଗାଇଦେବ।ଲୋକାର୍ପଣ ଉତ୍ସବରେ ଖୋର୍ଦ୍ଧ-ବଲାଙ୍ଗିର ରେଳପଥକୁ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୃଢୋକ୍ତିର ସହ କହିଛନ୍ତି ଯେ ବଲାଙ୍ଗିର ଯାଏଁ ପହଞ୍ଚିକି ରହିବ। ଏଥିରେ କୌଣସି ବାଧା ଅଟକାଇ ପାରିବନି। ମାଟି ପାଇଁ କାମ କରିବା ବେଳେ କୌଣସି ରାଜନୀତି କରିବାନି ବୋଲି ରେଲ ମନ୍ତ୍ରୀ କହିଛନ୍ତି।
ସୂଚନା ଅନୁସାରେ, ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଅନ୍ତର୍ଗତ ଖୋର୍ଦ୍ଧାରୋଡ୍ଠାରୁ ନୂଆଗାଁ ପର୍ଯ୍ୟନ୍ତ ୯୨ କିଲୋମିଟର ଟ୍ରାକରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିବା ବେଳେ, ବର୍ତ୍ତମାନ ନୂଆଗାଁ ଷ୍ଟେସନଠାରୁ ଦଶପଲ୍ଲା ଷ୍ଟେସନ ପର୍ଯ୍ୟନ୍ତ ଅଧିକ ପ୍ରାୟ ୧୫ କିଲୋମିଟର ରେଳ ଲାଇନ କାର୍ଯ୍ୟକ୍ଷମ ହୋଇଛି। ସେପଟେ ବଲାଙ୍ଗିରରୁ ସୋନପୁର ବିଛୁପାଲି ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିବା ବେଳେ, ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ବୌଦ୍ଧ ଜିଲ୍ଲା ପୁରୁଣା କଟକ ପର୍ଯ୍ୟନ୍ତ ଟ୍ରେନ୍ ଗଡ଼ାଇବାକୁ ଲକ୍ଷ୍ୟ ରହିଛି।