୧୨ଟି ରାଜ୍ୟରେ JN.1 ମାମଲା ନେଇ ଚିନ୍ତା ବ୍ୟକ୍ତ କଲା ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ

କୋଭିଡ-୧୯ର ନୂଆ ସବ-ଭାରିଆଣ୍ଟ ଜେଏନ.୧କୁ ନେଇ ପୁଣି ଥରେ ଚିନ୍ତା ବଢ଼ିଯାଇଛି । ଜାନୁଆରୀ ୭ ତାରିଖ ମଧ୍ୟରେ ଓଡ଼ିଶା ସମେତ ୧୨ଟି ରାଜ୍ୟରେ ଏହି ସବ-ଭାରିଆଣ୍ଟର ୬୮୨ଟି ନୂଆ ମାମଲା ସାମ୍ନାକୁ ଆସିଛି । କର୍ଣ୍ଣାଟକରେ ୧୯୯ଟି, କେରଳରେ ୧୪୮ଟି, ମହାରାଷ୍ଟ୍ରରେ ୧୩୯ଟି, ଗୋଆରେ ୪୭ଟି, ଗୁଜରାଟରେ ୩୬ଟି, ଆନ୍ଧ୍ରପ୍ରଦେଶରେ ୩୦ଟି, ରାଜସ୍ଥାନରେ ୩୦ଟି, ତାମିଲନାଡ଼ୁରେ ୨୬ଟି, ଦିଲ୍ଲୀରେ ୨୧ଟି, ଓଡ଼ିଶାରେ ୩ଟି, ତେଲେଙ୍ଗାନାରେ ୨ଟି ଓ ହରିୟାଣାରେ ଗୋଟିଏ ମାମଲା ଚିହ୍ନଟ ହୋଇଛି ।

ଦେଶରେ ନୂଆ ଭାରିଆଣ୍ଟର ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏହା ଉପରେ ନଜର ରଖିବାକୁ କୁହାଯାଇଛି । ଏଥିସହିତ ଇନଫ୍ଲୁଏଞ୍ଜା ପରି ଗମ୍ଭୀର ବିମାରୀକୁ ନେଇ ରିପୋର୍ଟ ଦାଖଲ କରିବାକୁ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ କୁହାଯାଇଛି । ମାମଲାକୁ ଦୃଷ୍ଟିକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି, ଜେଏନ.୧ ଏକ ଅଲଗା ‘ଭାରିଆଣ୍ଟ ଅଫ୍ ଇଣ୍ଟ୍ରେଷ୍ଟ’ (ବିଓଆଇ) । ଏହା ବିଶ୍ୱର ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରତି କମ୍ ଘାତକ । କରୋନା ଭାଇରସର ଜେଏନ.୧ ସବଭାରିଆଣ୍ଟକୁ ପୂର୍ବରୁ ବିଏ.୨.୮୬ ସବଭାରିଆଣ୍ଟରେ ବିଓଆଈ ଭାବେ ବର୍ଗୀକୃତ କରାଯାଇଥିବା ହୁ ପକ୍ଷରୁ କୁହାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଜେଏନ.୧ ସବ୍-ଭାରିଆଣ୍ଟର ଲକ୍ଷଣକୁ ନେଇ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ପକ୍ଷରୁ ଗତମାସରେ ଏକ ରିପୋର୍ଟ ଜାରି କରାଯାଇଥିଲା । ଜେଏନ.୧ ସବ-ଭାରିଆଣ୍ଟର ଲକ୍ଷଣକୁ ଅଣଦେଖା କରିବା ଅନୁଚିତ । ଯଦି ଏହିସବୁ ଲକ୍ଷଣ ଦେଖାଯାଏ ତେବେ ସଙ୍ଗେସଙ୍ଗେ ତା’ର ଯାଞ୍ଚ କରାଇନେବା ଉଚିତ । ୧୦ ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ ୩୯ ଡିଗ୍ରୀ ସେଲସିୟସ ଉପରେ ଥଣ୍ଡା ରହିଲେ, ଗମ୍ଭୀର ତୀବ୍ର ଶ୍ୱାସ ସଂକ୍ରମଣ (ସାରି) ପରି ଲକ୍ଷଣ ଥିଲେ ରୋଗୀଙ୍କର କୋଭିଡ୍ ଟେଷ୍ଟ କରାଯିବା ଆବଶ୍ୟକ ବୋଲି ଏମ୍ସ ମ୍ୟାନେଜମେଣ୍ଟ ଦ୍ୱାରା ପ୍ରଦତ୍ତ କୋଭିଡ-୧୦ ଗାଇଡଲାଇନ୍ସରେ କୁହାଯାଇଥିଲା ।

ତେବେ ଭାରତୀୟମାନେ ପୂର୍ବରୁ ଓମିକ୍ରମନର ଭାରିଆଣ୍ଟ ସମେତ ଅନେକ ସବ-ଭାରିଆଣ୍ଟ ସମ୍ପର୍କରେ ଆସିବା ସହିତ ସେମାନେ ଭାକ୍ସିନ ନେଇସାରିଛନ୍ତି । ତେଣୁ ନୂଆ ଭାରିଆଣ୍ଟରେ ଗମ୍ଭୀର ବୀମାରୀର ଆଶଙ୍କା କମ୍ । ସଂକ୍ରମଣରୁ ବର୍ତ୍ତିବା ପାଇଁ ଭିଡ଼ ସ୍ଥାନରୁ ଦୂରେଇ ରହିବା ସହିତ କାଶିବା ଓ ଛିଙ୍କିବା ସମୟରେ ମୁହଁ-ନାକକୁ ବନ୍ଦ କରିବା, ହାତକୁ ଧୋଇବା ଆବଶ୍ୟକ ବୋଲି ହେଲଥ୍ ଏକ୍ସପର୍ଟ କହିଥିଲେ ।

Related Articles

Back to top button