ଭାରତୀୟ ସେନାଙ୍କୁ ସମ୍ମାନ ଜଣାଇବା ପାଇଁ ପାଳନ ହେଉଛି ‘ଭାରତୀୟ ସେନା ଦିବସ’

ଆଜି ପୁରା ଦେଶ ମକର ସଂକ୍ରାନ୍ତି ପର୍ବ ପାଳନ କରୁଥିବା ବେଳେ ଏହି ଶୁଭ ଦିନରେ ଆଉ ଏକ ଦିବସ ମଧ୍ୟ ପାଳନ କରାଯାଉଛି ‘ଭାରତୀୟ ସେନା ଦିବସ’ । ବାହ୍ୟ ଓ ଆଭ୍ୟନ୍ତରୀଣ ବିଦପକୁ ପ୍ରତିହତ କରି ଦେଶରେ ଶାନ୍ତି, ସୁରକ୍ଷା ଓ ଏକତା ସୁନିଶ୍ଚିତ କରିବା ଏହି ଦିବସର ଲକ୍ଷ୍ୟ। ସମସ୍ତ ଭାରତୀୟ ସେନାଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଜାନୁଆରୀ ୧୫କୁ ‘ଭାରତୀୟ ସେନା ଦିବସ’ ରୂପେ ପାଳନ କରାଯାଏ । ୧୯୪୯ ମସିହା ଆଜିର ଦିନରେ ଭାରତର ଶେଷ ବ୍ରିଟିଶ କମାଣ୍ଡର ଇନ୍ ଚିଫ୍ ସାର୍ ଫ୍ରାନସିସ୍‌ ବୁଚରଙ୍କଠାରୁ ଭାରତର ଫିଲ୍ଡ ମାର୍ଶଲ କେ. ଏମ୍. କରିୟପ୍ପା ଦାୟିତ୍ୱ ଗ୍ରହଣ କରିଥିଲେ । କରିୟପ୍ପା ଥିଲେ ଭାରତୀୟ ସେନାର ପ୍ରଥମ କମାଣ୍ଡର ଇନ୍ ଚିଫ୍ । ଭାରତର ପ୍ରଥମ କମାଣ୍ଡର ଇନ ଚିଫ ପିଲ୍ଡ ମାର୍ଶାଲ ଜେନେରାଲ କାରିଆପ୍ପା ବ୍ରିଟିଶ ଅଧିକାରୀଙ୍କଠାରୁ ଭାରତୀୟ ସେନାର କମାଣ୍ଡର ଦାୟିତ୍ୱ ଗ୍ରହଣ କରିଥିବାରୁ ଏହି ଦିନକୁ ସେନା ଦିବସ ପାଳନ କରାଯାଉଛି।

ଦିଲ୍ଲୀ ସମେତ ଦେଶର ସବୁ ସେନା କମାଣ୍ଡ ହେଡକ୍ୱାର୍ଟରରେ ଏହି ଦିବସ ପାଳିତ ହୋଇଥାଏ। ଏହାସହ ସେନା ଦିବସରେ ଦେଶ ସୁରକ୍ଷା ଲାଗି ବଳିଦାନ ଦେଇଥିବା ବୀର ଯବାନଙ୍କ ଉଦ୍ଦେଶ୍ୟରେ ସମ୍ମାନ ପ୍ରଦର୍ଶନ କରାଯାଏ। ଏହି ଦିବସରେ ଯୁଦ୍ଧରେ ଦେଶ ସୁରକ୍ଷା ପାଇଁ ସେନାଙ୍କ ସାହସିକତା ଲାଗି ବିଭିନ୍ନ ମେଡାଲ ଓ ପୁରସ୍କାର ପ୍ରଦାନ କରାଯାଇଥାଏ। ଶହୀଦ ଯବାନଙ୍କ ପରିବାରକୁ ମଧ୍ୟ ସମ୍ମାନିତ କରାଯାଏ। ଏହି ଅବସରରେ ପରେଡ ଅନୁଷ୍ଠିତ ହୋଇଥାଏ। ସେନା ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ତାଙ୍କ ଦାୟିତ୍ୱ ସମ୍ପର୍କରେ ଲୋକମାନଙ୍କୁ ଜଣାଇବାର ସୁଯୋଗ ମିଳିଥାଏ। ଆଜିର ଦିନରେ ସମସ୍ତ ଭାରତୀୟ ଯବାନ ମାନଙ୍କୁ ସମସ୍ତ ଦେଶବାସୀଙ୍କ ପକ୍ଷରୁ କୋଟି କୋଟି ନମସ୍କାର ।

Related Articles

Back to top button