ଶ୍ରୀମନ୍ଦିର ପରିବର୍ତ୍ତେ ଶିବ ମନ୍ଦିରରେ ପହଞ୍ଚିଲା ଅର୍ପଣ ରଥରେ ସମର୍ପିତ ଚାଉଳ, ଗୁଆ ଓ ନଡ଼ିଆ

ଭକ୍ତଙ୍କ ଭାବାବେଗକୁ ଧକ୍କା ଲାଗିଛି। ଶ୍ରଦ୍ଧାର ସହ ଅର୍ପଣ ରଥରେ ସମର୍ପି ଦେଇଥିବା ଚାଉଳ, ଗୋଟାଗୁଆ ଓ ନଡ଼ିଆକୁ ଶ୍ରୀମନ୍ଦିରକୁ ନିଆଯିବା ପରିବର୍ତ୍ତେ ଶିବ ମନ୍ଦିରକୁ ସମର୍ପି ଦିଆଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟରେ। ବ୍ଲକ ଅଞ୍ଚଳର କେତେକ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ସଂଗୃହୀତ ହୋଇଥିବା ଗୁଆ, ଚାଉଳ ଓ ନଡ଼ିଆ ଇତ୍ୟାଦିକୁ ବ୍ଲକ କର୍ତ୍ତୃପକ୍ଷ ପାଟଣାର ପ୍ରାଚୀନ ଆନନ୍ଦେଶ୍ୱର ମହାଦେବଙ୍କୁ ଦାନରେ ଦେଇ ଦେଇଛନ୍ତି। ଦାନରେ ଆସିଥିବା ଏହି ଚାଉଳ, ଗୁଆଗୁଡ଼ିକ ଏବେ ପରିତ୍ୟକ୍ତ ଭାବେ ଆନନ୍ଦେଶ୍ୱର ମହାଦେବଙ୍କ ରୋଷଘର ସାମ୍ନାରେ ପଡ଼ି ରହିଛି। ଏନେଇ ପାଟଣା ବିଡିଓ ଶିବ ଶଙ୍କର ମୁର୍ମୁଙ୍କୁ ଯୋଗାଯୋଗ କରାଯିବାରେ ଏହାକୁ ପୁରୀ କେବେ ପଠାଯିବ ତାହାର ନିର୍ଦ୍ଦେଶ ମିଳି ନ ଥିବାରୁ ସେଗୁଡିକୁ ଶିବ ମନ୍ଦିରରେ ରଖାଯାଇଥିବା ସୂଚନା ଦେଇଛନ୍ତି ।ଅପରପକ୍ଷେ, ଏଠାରେ ଚାଉଳ ଅଧିକ ଦିନ ରହିଲେ ମୂଷା ନଷ୍ଟ କରିବା ଆଶଙ୍କା ମଧ୍ୟ ରହିଥିବାରୁ ମହାଶିବରାତ୍ରୀ ପୂର୍ବରୁ ଏଠାରୁ ଚାଉଳ ନିଆ ନଗଲେ ବାଧ୍ୟ ହୋଇ ଏହାକୁ ରାନ୍ଧି ଶ୍ରଦ୍ଧାଳୁଙ୍କୁ ବିତରଣ କରାଯିବ ବୋଲି ମନ୍ଦିର କମିଟିର ଅଜୟ କୁମାର ଦାଶ ସୂଚନା ଦେଇଛନ୍ତି।

Related Articles

Back to top button