ବୋମା ନିଷ୍କ୍ରିୟ କରୁଥିବା ସମୟରେ ହାବିଲଦାରଙ୍କ ମୃତ୍ୟୁ

କଟକ ଗୋପାଳପୁର ଅଞ୍ଚଳରେ ଅଘଟଣ ଘଟିଛି। ପୁଲିସ ଜବତ କରିଥିବା ବୋମା ପାଣିରେ ନିଷ୍କ୍ରିୟ କରିବା ସମୟରେ ହଠାତ ଫୁଟିଥିଲା। ବୋମା ନିଷ୍କ୍ରିୟ କରୁଥିବା ହାବିଲଦାର ଗୁରୁତର ହେବାରୁ ତାଙ୍କୁ ଏସସିବିକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ହାବିଲଦାର ହେଲେ ପ୍ରଦୀପ କୁମାର ମଲ୍ଲିକ। ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ଏସସିବି ମେଡିକାଲର ଟ୍ରମା କାଜୁଆଲଟିରେ ଭର୍ତ୍ତି ହୋଇଛନ୍ତି। ବୋମା ବିସ୍ଫୋରଣ ହେବାରୁ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ତେବେ କାଠଯୋଡି ନଦୀ କୂଳରେ ବୋମା ନିଷ୍କ୍ରିୟ ବେଳେ ଏସଓପି ସଠିକ୍‌‌ ଭାବେ ପାଳନ ହୋଇନଥିବା ଅଭିଯୋଗ ହୋଇଛି। ଘଟଣାର ତଦନ୍ତ କରାଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି। କଟକ ସଦର ଥାନାର ଏକ ପରିତ୍ୟକ୍ତ ଘରେ ଏହି ଜବତ ବୋମା ରଖାଯାଇଥିଲା।

ଶୁକ୍ରବାର ଜବତ ବୋମା ଗୁଡିକୁ ନିଷ୍କ୍ରିୟ କରିବାକୁ ଗୋପାଳପୁର ନିକଟ କାଠଯୋଡି ନଦୀପଠାକୁ ଅଣାଯାଇଥିଲା। ସେଠାରେ ନିଷ୍କ୍ରିୟ ପ୍ରକ୍ରିୟା ଚାଲିଥିବା ବେଳେ ବୋମା ଫୁଟି ଥିଲା ଓ ହାବିଲଦାର ପ୍ରଦୀପ ମଲ୍ଲିକଙ୍କ ଏଥିରେ ମୃତ୍ୟୁ ହୋଇଛି। ବୋମାଗୁଡିକରେ ନିଆଁ ଲଗାଯାଇଥିବା ସୂଚନା ମିଳିଛି। ହେଲେ କଟକ ଏଡିସିପି ଅନୀଲ ମିଶ୍ର କହିଛନ୍ତି ଯେ ତାହା ବୋମା ନଥିଲା ବାଣ ଥିଲା। ତେବେ କେଉଁ ପରିସ୍ଥିତିରେ ଏସବୁକୁ ନିଷ୍କ୍ରିୟ କରାଯାଉଥିଲା ତାହାର ତଦନ୍ତ ହେବ। ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ସାଇଣ୍ଟିଫିକ୍‌‌ ଟିମ୍‌‌ ପହଞ୍ଚି ଯାଞ୍ଚ କରୁଛନ୍ତି।

Related Articles

Back to top button