ଆସନ୍ତା ଜୁଲାଇ ୮ ତାରିଖରେ ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ଆସନ୍ତା ଜୁଲାଇ ୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ। ଅର୍ଥାତ ରଥଯାତ୍ରାର ପରଦିନ ଖୋଲିବ ରତ୍ନଭଣ୍ଡାର । ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥ ଲେଜର ସ୍କାନିଂ କରାଯାଇଛି । ଏହି ଲେଜର ସ୍କାନିଂରେ ଫାଟ ଥିବା ଜଣାପଡିଛି,ତେଣୁ ପାଣି ଜକଉ ଥାଇପାରେ । ଆଗକୁ ମୌସୁମୀ ବର୍ଷା ଆରମ୍ଭ ହେବ । ତେଣୁ ସେହି ଫାଟ ମାଧ୍ୟମରେ ପାଣି ରତ୍ନଭଣ୍ଡାର ମଧ୍ୟକୁ ଯାଇପାରେ ବୋଲି କହିଛନ୍ତି ASI ସୁପରଟେଣ୍ଡେଣ୍ଟ ଡିବି ଗଡ଼ନାୟକ ।

ଶ୍ରୀ ଗଡ଼ନାୟକ ଆହୁରି କହିଛନ୍ତି ଯେ, ରତ୍ନଭଣ୍ଡାର ଖୋଲିବା ବେଳେ ସ୍ୱତନ୍ତ୍ର ଟିମ୍‌ ଓ ଟେକ୍ନିକାଲ ଟିମ୍‌ ଉପସ୍ଥିତି ରହିବେ । ୨୦୧୮ରେ ଯେତେବେଳେ ପ୍ରଥମ ରତ୍ନଭଣ୍ଡାର ଖୋଲାଯାଇଥିଲା ସେ ସମୟରେ ଦେଖିବାକୁ ମିଳିଥିଲା ଯେ କାନ୍ଥରେ କ୍ରାକ୍‌ ରହିଛି ଓ ପଥର ଖଣ୍ଡ ପଡ଼ିଛି । ଏଭଳି ସ୍ଥିତିରେ ଯେତେଶୀଘ୍ର ଖୋଲାଯାଇ କାମ ହେବ ମନ୍ଦିର ଓ ରତ୍ନଭଣ୍ଡାର ପାଇଁ ଭଲ। ରତ୍ନଭଣ୍ଡାର ଖୋଲାଯାଇ ଅନୁଧ୍ୟାନ ପରେ ମରାମତି କରାଯିବ ବୋଲି ସେ କହିଛନ୍ତି । ଏଥିସହ ରତ୍ନଭଣ୍ଡାର ଖୋଲିବା ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଏହି ସ୍ୱତନ୍ତ୍ର ଟିମ୍‌ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ଓ ଯାଞ୍ଚ କରିବେ ।

ସୂଚନାଯୋଗ୍ୟ ୧୯୭୮ ମସିହାରେ ନୀଳମଣି ରାଉତରାୟଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ବିଶ୍ୱଭୂଷଣ ହରିଚନ୍ଦନ ଆଇନ୍‍ ମନ୍ତ୍ରୀ ଥିବାବେଳେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ବିଭିନ୍ନ ସାମଗ୍ରୀର ଗଣତି ଓ ମଣତି କରାଯାଇଥିଲା । ସେତେବେଳର ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିରର ସଂସ୍କାର ଲାଗି ଏକ କମିଟି ଗଠନ କରାଯାଇଥିଲା ଏବଂ ଏହି କମିଟି ସେ ସମୟରେ ଯେଉଁ ରିପୋର୍ଟ ଦେଇଥିଲେ ତାହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇନାହିଁ ।

Related Articles

Back to top button