ମା ତାରିଣୀ ମନ୍ଦିର ପର୍ଯ୍ୟନ୍ତ ରୋଡ଼ ସୋ କରିବା ସହ ୫୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମା’ ତାରିଣୀ ପୀଠ ଲାଗି ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ,୫୦ କୋଟି ଟଙ୍କାର ପ୍ୟାକେଜ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ଥର ନିଜ ଜନ୍ମ ମାଟି ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝରରେ ପହଞ୍ଚିବା ପରେ ସେଠାରେ ମା ତାରିଣୀ ମନ୍ଦିର ପର୍ଯ୍ୟନ୍ତ ରୋଡ଼ ସୋ କରିଥିଲେ । ଏହାପରେ ମାଙ୍କ ପୀଠକୁ ଯାଇ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ।

ଏହାପରେ ମନ୍ଦିରର ପୂଜକଙ୍କ ସହ ମନ୍ଦିର ଉନ୍ନତି ବିଷୟରେ ଆଲୋଚନା କରିଥିଲେ । ମା’ ତାରିଣୀଙ୍କ ପୀଠ ଯେପରି ସାରା ଦେଶରେ ବ୍ୟାପକ ହୋଇପାରିବ, ସ୍ୱତନ୍ତ୍ର ପର୍ଯ୍ୟଟନସ୍ଥଳୀ ହୋଇପାରିବ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତାରିଣୀ ପୀଠର ବିକାଶ ଓ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଅପିଲ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ବର୍ତ୍ତମାନ ପୀଠର ବିକାଶ ପାଇଁ ୫୦ କୋଟି ଟଙ୍କା ବିନିମୟରେ କାମ ଚାଲିଥିଲାବେଳେ ଏହାକୁ ପରିପୂର୍ଣ୍ଣ କରିବାକୁ ଅଧିକ ୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପୀଠର ସୌନ୍ଦର୍ଯ୍ୟକରଣ ଓ ବିକାଶ ପାଇଁ ୧୦୦ କୋଟିର ଏହି ବଜେଟକୁ ଯଥାଶୀଘ୍ର ଶେଷ କରିବାକୁ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button