ବୁଧବାର ରଥରେ କନା ପକାଯିବା ଆରମ୍ଭ ହୋଇଛି

ଆଉ ମାତ୍ର ୩ ଦିନ ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଶ୍ରୀମନ୍ଦିର ଛାଡ଼ି ନବଦିନାତ୍ମକ ଯାତ୍ରା କରିବେ ଦାରୁବିଗ୍ରହ। ଏଥିପାଇଁ ତିନିରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବୁଧବାର ରଥରେ କନା ପକାଯିବା ଆରମ୍ଭ ହୋଇଛି। କୋଠସୁଆଁସିଆ ସେବକମାନେ ପ୍ରଥମେ ତାଳଧ୍ୱଜ ରଥର ୪ଟି ଦୁଆର ବେଢ଼଼ାରେ କନା ପକାଇଛନ୍ତି। ଏହାପରେ ନନ୍ଦିଘୋଷ ରଥ ଏବଂ ତାଳଧ୍ୱଜ ରଥରେ ପର୍ଯ୍ୟାୟକ୍ରମେ କନା ପକାଯିବ। ସେହିପରି ବୁଧବାର ଅନ୍ୟାନ୍ୟ କାମ ମଧ୍ୟରେ ତିନିରଥର କଳସ ଉଠିଥିବା ବେଳେ ଓଲଟ ଶୁଆ ମଧ୍ୟ ଫିଟିଙ୍ଗ କରାଯାଇଛି। ପ୍ରତ୍ୟେକ ରଥରେ କନ୍ୟାପଟା ବାଡ଼ିଆ ଯାଇଛି।

ନନ୍ଦିଘୋଷ ଏବଂ ତାଳଧ୍ୱଜରେ ୧୨ଟି ଲେଖାଏଁ କନ୍ୟାପଟା ବାଡ଼ା ଯାଇଥିବା ବେଳେ ଦେବଦଳନ ରଥରେ ୮ଟି କନ୍ୟାପଟା ବାଡାଯାଇଛି। ତିନିରଥରେ ପାର୍ଶ୍ବ ଦେବତା ସ୍ଥାପନ କରାଯିବ। ସେହିପରି ଠେକରାବାଡ ଲଗାଯିବା ସହ ସଖୀଙ୍କୁ ସ୍ଥାପନ କରାଯିବ। ବୁଧବାର ପ୍ରଭାରେ ଖୋଦେଇ ଶେଷ ପରେ ରୂପକାରମାନେ ଚିତ୍ରକାର ସେବକଙ୍କୁ ପ୍ରଦାନ କରିଛନ୍ତି। ସେମାନେ ରୂପ ଖୋଦେଇ ଅଂଶରେ ରଙ୍ଗ ଦେଉଛନ୍ତି। ଦରଜୀ ସେବକମାନେ ଚନ୍ଦ୍ରଶାଳୀ, ଅଁଳା ଶ୍ରୀରେ ସିଲ୍‌‌ଭର ଜରି ଲେସ୍‌‌ କାର୍ଯ୍ୟ ସହ ଚନ୍ଦ୍ରଶାଳୀ ଏବଂ ଦୁଆର ବେଢ଼ାରେ ଲାଗିବା ପାଇଁ ଛୋଟ ପତାକା ତିଆରି କରିଛନ୍ତି। ଦୋଳବେଦୀ ପରିସର ଅସ୍ଥାୟୀ କମାର ଶାଳରେ କମାର ସେବକମାନେ ପ୍ରଭା ବିଡିଆ କଣ୍ଟା, ଖପୁରୀ ପାଇଁ ବାଗିଆ କଣ୍ଟା, ଶୁଆ ଫିଟିଙ୍ଗ ପାଇଁ ନାରାଜ କଣ୍ଟା ଏବଂ କଳସ ପାଇଁ ଫାନ୍ଦ କଣ୍ଟା ନିର୍ମାଣ କରି ବୁଧବାର ପ୍ରଦାନ କରିବା ପରେ ଏହାକୁ ରଥରେ ବ୍ୟବହାର କରାଯାଇଛି। ଚିତ୍ରକାର ସେବକମାନେ ରଥର ବାହ୍ୟ ଅଂଶଗୁଡ଼ିକରେ ରଙ୍ଗ କାର୍ଯ୍ୟ ସହ, ସାରଥୀ, ଘୋଡ଼ା, କଳସ, ସାକ୍ଷୀ, ପାର୍ଶ୍ୱ ଦେବଦେବୀ ମୂର୍ତ୍ତିଗୁଡ଼ିକରେ ରଙ୍ଗ ଦେଇଛନ୍ତି।

Related Articles

Back to top button