ନେପାଳ ଭୂସ୍ଖଳନରେ ନଦୀରେ ବହିଗଲା ୨ ବସ୍; ୭ ଭାରତୀୟଙ୍କ ମୃତ୍ୟୁ
ପଡୋଶୀ ଦେଶ ‘ନେପାଳ’ରେ ଶୁକ୍ରବାର ଭୋର ସକାଳୁ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ମଧ୍ୟ ନେପାଳରେ ମଦନ-ଆଶ୍ରିତ ରାଜପଥରେ ଭୂସ୍ଖଳନ ହୋଇଛି। ଏହି କାରଣରୁ ୬୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ୨ଟି ବସ୍ ତ୍ରିଶୁଳୀ ନଦୀରେ ବହିଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ୭ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ବ ଲୋକ ନିଖୋଜ ଅଛନ୍ତି। ମୃତକଙ୍କ ସଂଖ୍ୟା ବଢ଼ିପାରେ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ବୀରଗଂଜ ଠାରୁ କାଠମାଣ୍ଡୁ ଯାଉଥିବା ଏକ ବସ୍ ତ୍ରିଶୁଳୀ ନଦୀରେ ଖସିପଡ଼ିଥିଲା। ଏଥିରେ ୭ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି। ପରିବହନ ବିଭାଗ ନାରାୟଣଘାଟ କାଠମାଣ୍ଡୁ ଜୋନକୁ ୧୫ଦିନ ପାଇଁ ବନ୍ଦ ରଖିଥିଲା। କିନ୍ତୁ ଏହା ପରେ ମଧ୍ୟ ଗମନାଗମନ ଜାରି ରହିଥିଲା। ନେପାଳରେ ପ୍ରବଳ ବର୍ଷା ଯୋଗୁଁ ଭିନ୍ନଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି। ଏହି କାରଣରୁ ଯାତାୟତ ବନ୍ଦ ରଖାଯାଇଥିଲା।
କାଠମାଣ୍ଡୁ ପୋଷ୍ଟର ରିପୋର୍ଟ ଅନୁସାରେ ଚିତୱନର ମୁଖ୍ୟ ଜିଲ୍ଲା ଅଧିକାରୀ ଇନ୍ଦ୍ରଦେବ ଯାଦବ କହିଛନ୍ତି, କାଠମାଣ୍ଡୁ ଯାଉଥିବା ବସ୍ ‘ଏଞ୍ଜେସ’ରେ ୨୪ ଜଣ ଯାତ୍ରୀ ଥିଲେ। ଅନ୍ୟପଟରେ କାଠମାଣ୍ଡୁରୁ ଗୌର ଯାଉଥିବା ଡିଲକ୍ସ ବସ୍ରେ ପାଖାପାଖି ୪୧ ଜଣ ଲୋକ ଥିଲେ। ଭୋର ସକାଳୁ ୩ଟା ୩୦ରେ ଭୂସ୍ଖଳନ ଯୋଗୁଁ ୨ଟି ବସ୍ ତ୍ରିଶୁଳୀ ନଦୀକୁ ଖସି ପଡ଼ିଥିଲା। ଚିତବନର ମୁଖ୍ୟ ଜିଲ୍ଲା ଅଧିକାରୀ ଇନ୍ଦ୍ରଦେବ ଯାଦବ ଘଟଣା ନେଇ ସ୍ପଷ୍ଟ କରିଥିବା ବେଳେ ସେ କହିଛନ୍ତି, ଦୁଇ ବସ୍ରେ ଡ୍ରାଇଭର ଓ ୬୩ ଜଣ ଯାତ୍ରୀ ଥିଲେ। ଭୂସ୍ଖଳନ କାରଣରୁ ବସ୍ ଭୋର ସାଢ଼େ ୩ଟାରେ ନଦୀରେ ବହି ଯାଇଥିଲା। ସେ କହିଛନ୍ତି, ବର୍ଷା ଯୋଗୁଁ ଯାତ୍ରୀବାହୀ ବସ୍ ଖୋଜିବାରେ ଅସୁବିଧା ହେଉଛି। କିନ୍ତୁ ତଲାସୀ ଅଭିଯାନ ଜାରି ରହିଛି।
ଏହି ଅଭାବନୀୟ ଘଟଣା ନେଇ ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ନାରାୟଣଗଡ଼-ଗୁଗ୍ଲିନ ରାସ୍ତାରେ ଭୂସ୍ଖଳନ ଯୋଗୁଁ ନଦୀରେ ବସ୍ ୨ଟି ଭାସିଯାଇଛି। ଏହା ଦ୍ବାରା ୫୦ରୁ ଅଧିକ ଯାତ୍ରୀ ନିଖୋଜ ହୋଇଥିବା ନେଇ ଖବର ଆସୁଛି। ଦେଶର ବିଭିନ୍ନ ଅଞ୍ଚଳରେ ବନ୍ୟା ଓ ଭୂସ୍ଖଳନରେ ଧନଜୀବନ ପ୍ରଭାବିତ ହୋଇଛି। ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦେଶ ଦେଇଛି। ସୂଚନାଯୋଗ୍ୟ, ପାଗ ଖରାପ ଥିବାରୁ ରାଜଧାନୀ କାଠମାଣ୍ଡୁରୁ ଭରତପୁର, ଚିତବନ ପର୍ଯ୍ୟନ୍ତ ସମସ୍ତ ଉଡାଣ ଆଜି ବାତିଲ କରାଯାଇଛି।