ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଅବପାତରେ ହୋଇଛି ପରିଣତ

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହୋଇଛି । ଆସନ୍ତାକାଲି ସୁଦ୍ଧା ଅବପାତଟି ପୁରୀ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ବର୍ତ୍ତମାନ ଅବପାତଟି ପୁରୀଠାରୁ ୭୦ କିମି ଦୂରରେ ଥିବାବେଳେ ଗୋପାଳପୁର ଓ ପାରାଦୀପଠାରୁ ୧୩୦ କିମି ଦୂରରେ ଅବସ୍ଥିତ । ଏହା ପ୍ରଭାବରେ ପୁରୀ ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ‘ଏକ୍ସ ‘ରେ ସୂଚନା ଦିଆଯାଇଛି।ପାଣିପାଗର କେନ୍ଦ୍ରର ସୂଚନା ଅନୁସାରେ, ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲ୍ ମାର୍କଡ ଲୋ- ପ୍ରେସର ବା ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ଆଜିଠାରୁ ରାଜ୍ୟରେ ୪ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ବିଶେଷ କରି ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, ବୌଦ୍ଧ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏତବ୍ୟତିତ କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ଓ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିପରି ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠୁ ଓଡ଼ିଶା ଉପକୂଳ ଓ ସଲଗ୍ନ ଉତ୍ତର ବଙ୍ଗୋପସାଗରରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା କାରଣରୁ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ବର୍ଷା ଯୋଗୁ ବିଭିନ୍ନ ନଦୀ, ନାଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାସହିତ ପାହାଡ଼ିଆ ଅଂଚଳରେ ମାଟି ଅତଡ଼ା ଧସିବାର ଆଶଙ୍କା ଥିବାର ଯେକୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ କର୍ମଚାରୀଙ୍କୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ବିଭିନ୍ନ ଦୁର୍ବଳ ନଦୀ ଓ କେନାଲ ବନ୍ଧଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଦାୟିତ୍ୱରେ ଥିବା ଇଞ୍ଜିନିୟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Back to top button