ବାଂଲାଦେଶର ଛାତ୍ର ଆନ୍ଦୋଳନ : ୩୯ ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ

ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ଶେଷ କରିବା ଦାବି ନେଇ ବାଂଲାଦେଶର ଛାତ୍ରମାନେ ଆନ୍ଦୋଳନ ଜାରି ରଖିଛନ୍ତି। ପରିସ୍ଥିତି ଏଭଳି ସ୍ଥିତିରେ ପହଞ୍ଚିଛି ଯେ, ପୁଲିସ ସହିତ ମୁହାଁମୁହିଁ ବେଳେ ୩୯ ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଛି। ୨୫୦୦ରୁ ଊର୍ଦ୍ଧ୍ବ ପ୍ରଦର୍ଶନକାରୀ ଆହତ ହୋଇଛନ୍ତି। ପ୍ରଦର୍ଶନକାରୀମାନେ ଠେଙ୍ଗା-ବାଡ଼ି ଓ ପଥର ଧରି ରାସ୍ତାରେ ବୁଲୁଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି।

ଆନ୍ଦୋଳନ ଯୋଗୁଁ ବାଂଲାଦେଶରେ ବସ୍‌, ଟ୍ରେନ୍‌ ଓ ମେଟ୍ରୋ ସେବା ସ୍ଥଗିତ ରଖାଯାଇଛି। ହିଂସା ନିୟନ୍ତ୍ରଣ ପାଇଁ ସରକାର ମୋବାଇଲ ଇଣ୍ଟରନେଟ ସେବା ସ୍ଥଗିତ ରଖିଛନ୍ତି। ସ୍କୁଲ, କଲେଜ ସହିତ ମଦ୍ରାସା ମଧ୍ୟ ଅନିଶ୍ଚିତକାଳ ପାଇଁ ବନ୍ଦ କରିଛନ୍ତି। ପୂରା ଦେଶରେ ସେନାକୁ ରାଜରାସ୍ତାରେ ମୁତୟନ କରାଯାଇଛି। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା ନିକଟରେ ଏକ ସରକାରୀ ନ୍ୟାସନାଲ ଟେଲିଭିଜନରେ ଆସି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ସେ ଶାନ୍ତି ପ୍ରତିଷ୍ଠା ପାଇଁ ଅପିଲ କରିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ଦେଶରେ ପ୍ରଦର୍ଶନକାରୀ ଅଧିକ କ୍ରିୟାଶୀଳ ହୋଇଉଠିଛନ୍ତି। ଉତ୍ତେଜିତ ଲୋକେ ସରକାରୀ ଟେଲିଭିଜନ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି। ଏହି ସମୟରେ ସାମ୍ବାଦିକମାନଙ୍କ ସହିତ ପାଖାପାଖି ୧୨୦୦ କର୍ମଚାରୀ ଉପସ୍ଥିତ ଥିଲେ। ପୁଲିସ-ପ୍ରଶାସନ ବହୁ କଷ୍ଟରେ ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା।

ଆନ୍ଦୋଳନ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଏହି କାରଣରୁ ପ୍ରଦର୍ଶନକାରୀମାନେ ଆହତ ହୋଇଥିଲେ। ଢାକା ସମେତ ଦେଶର ଅନ୍ୟସ୍ଥାନରେ ଏବେ ବସ୍‌, ଟ୍ରେନ୍‌ ଓ ମେଟ୍ରୋ ସେବା ବନ୍ଦ ରହିଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଢାକାରେ ଆନ୍ଦୋଳନ ସମୟରେ ରିପୋର୍ଟିଂ ପାଇଁ ଯାଇଥିବା ଜଣେ ସାମ୍ବାଦିକ ମେହନ୍ଦୀ ହାସନଙ୍କ ମୃତ୍ୟୁ ହୋଇଛି। ଢାକାରେ କାନାଡା ବିଶ୍ବବିଦ୍ୟାଳୟର ପରିସରରେ ମଧ୍ୟ ପ୍ରଦର୍ଶନ ହୋଇଛି। ଏହି ବିଶ୍ବବିଦ୍ୟାଳୟର ଛାତ ଉପରେ ଫସିଥିବା ୬୦ ଜଣ ପୁଲିସ କର୍ମଚାରୀଙ୍କୁ ହେଲିକପ୍ଟର ଜରିଆରେ ଉଦ୍ଧାର କରାଯାଇଥିଲା।

ଭାରତୀୟ ଉଚ୍ଚାୟୋଗ ଏହି ଅଘଟଣ ନେଇ ଅବଗତ ହୋଇଛି। ଭାରତୀୟମାନଙ୍କ ପାଇଁ ପରାମର୍ଶ ଜାରି କରିଛି। ଏଥିରେ କୁହାଯାଇଛି ଯେ, ବାଂଲାଦେଶର ବର୍ତ୍ତମାନ ପରିସ୍ଥିତି ଭଲ ନାହିଁ। ଭାରତୀୟ ସମୁଦାୟର ସଦସ୍ୟ ଓ ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ଛାତ୍ର ଯାତ୍ରା କରିବାରୁ ବଞ୍ଚିତ ରୁହନ୍ତୁ। ଜରୁରୀ କାମ ନଥିଲେ ବାହାରକୁ ଯାଆନ୍ତୁ ନାହିଁ। ସହାୟତା ପାଇଁ ଉଚ୍ଚାୟୋଗ ତରଫରୁ ହେଲ୍‌ପଲାଇନ ନମ୍ବର ଜାରି କରିଦିଆଯାଇଛି।

Related Articles

Back to top button