ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ନବମ ଥର ପାଇଁ ରେପୋ ରେଟ୍ ରଖିଛନ୍ତି ଅପରିବର୍ତ୍ତିତ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର କହିଛନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରାନୀତି କମିଟି ପୁଣି ଥରେ ରେପୋ ରେଟ୍ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି।ଶ୍ରୀ ଦାସ କହିଛନ୍ତି ଯେ ମୁଦ୍ରାସ୍ଫୀତି ଏବେ ବି କେନ୍ଦ୍ରୀୟ ବ୍ୟାଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତାର ବିଷୟ। ଏହି କାରଣରୁ ମୁଦ୍ରାନୀତି କମିଟି ପୁଣି ଥରେ ରେପୋ ରେଟ୍ କୁ ୬.୫ ପ୍ରତିଶତରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି। ରିଜର୍ଭ ବ୍ୟାଙ୍କ ସୁଧ ହାର ହ୍ରାସ ପାଇଁ ଅଧିକ ସମୟ ଅପେକ୍ଷା କରିବା ସପକ୍ଷରେ ରହିଛି। ଆରବିଆଇର ଅଗଷ୍ଟ ଏମପିସି ବୈଠକ ଅଗଷ୍ଟ ୬ରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି । ଏହାପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଛନ୍ତି ଯେ ଏମପିସିର ୬ ଜଣ ସଦସ୍ୟଙ୍କ ମଧ୍ୟରୁ ୪ ଜଣ ରେପୋ ରେଟ୍ ସ୍ଥିର ରଖିବାକୁ ସମର୍ଥନ କରିଛନ୍ତି। ଏମପିସିର ପରବର୍ତ୍ତୀ ବୈଠକ ଅକ୍ଟୋବରରେ ଅନୁଷ୍ଠିତ ହେବ।୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ପରେ ରିଜର୍ଭ ବ୍ୟାଙ୍କର ଏହା ପ୍ରଥମ ବୈଠକ ଥିଲା। ଗତ ମାସ ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲେ। ଚଳିତ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କର ଶକ୍ତିଶାଳୀ ମୁଦ୍ରାନୀତି କମିଟିର ଏହା ତୃତୀୟ ବୈଠକ ଥିଲା। ୬ ଜଣିଆ ମୁଦ୍ରାନୀତି କମିଟି ନୀତି ସୁଧ ହାର ଅର୍ଥାତ୍ ରେପୋ ହାର ଉପରେ ନିଷ୍ପତ୍ତି ନେଇଥାଏ। ଏମପିସିର ଏହା କ୍ରମାଗତ ନବମ ବୈଠକ ଥିଲା, ଯେଉଁଥିରେ ରେପୋ ରେଟ୍ ସ୍ଥିର ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା।

Related Articles

Back to top button