ମଞ୍ଚେଶ୍ୱରରେ ସ୍ଥାପନ କରାଯାଇଛି ଏକ ‘ଶସ୍ୟ ଏଟିଏମ୍’

ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱରରେ ଏକ ‘ଶସ୍ୟ ଏଟିଏମ୍’ ସ୍ଥାପନ କରାଯାଇଛି । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଏଟିଏମ୍‌କୁ ଉଦ୍‌ଘାଟନ କରିଛନ୍ତି । ଏହି ଏଟିଏମରେ ୨୪ ଘଣ୍ଟିଆ ଚାଉଳ / ଗହମ ଉପଲବ୍ଧ ହେବ । ଯଦି ଏହି ଏଟିଏମ୍ ସଫଳତାର ସହ କାର୍ଯ୍ୟ କରେ ତେବେ ଆଗାମୀ ଦିନରେ ସବୁ ଜିଲ୍ଲା ଓ ବ୍ଲକରେ ଖୋଲିବ ଚାଉଳ ଏଟିଏମ୍।ତେବେ ଏହି ସୁବିଧା ପାଇବାକୁ ହେଲେ ଜଣେ ହିତାଧିକାରୀଙ୍କୁ ପ୍ରଥମେ ମେସିନରେ ବାୟୋମେଟ୍ରିକ, ରାସନ କାର୍ଡ, ଆଧାର କାର୍ଡର ସୂଚନା ଦେବାକୁ ପଡ଼ିବ । ଲୋକମାନେ ଟିପ୍ ଚିହ୍ନ ଦେଇ ବାୟୋମେଟ୍ରିକ ଯାଞ୍ଚ କରିବା ପରେ ଏଟିଏମ୍‌ରୁ ଟଙ୍କା ଭଳି ଚାଉଳ ବାହାର କରିପାରିବେ । ଏହି ଏଟିଏମ୍ ବସିବା ଫଳରେ ରାସନକାର୍ଡଧାରୀମାନେ ଆଉ କଣ୍ଟ୍ରୋଲ ଦୋକାନ ଆଗରେ ଲମ୍ବା ଲାଇନ ଲଗାଇ ଛିଡ଼ା ହେବେ ନାହିଁ । ଏହି ଏଟିଏମ୍‌ରୁ ଜଣେ ହିତାଧିକାରୀ ପାଇଁ ତାଙ୍କ ରାସନ କାର୍ଡରେ ଧାର୍ଯ୍ୟ କରାଯାଇଥିବା କିଲୋଗ୍ରାମ୍ ଚାଉଳ ବାହାରିବାର ବ୍ୟବସ୍ଥା କରାଯାଇଛି। ସବୁ ଜିଲ୍ଲାର ଯେକୌଣସି ହିତାଧିକାରୀ ଏହି ଏଟିଏମ୍‌ରୁ ଚାଉଳ ଅବା ଗହମ ନେଇପାରିବେ । ଏହାଦ୍ବାରା ରାଜ୍ୟରେ ଶସ୍ୟ ଚୋରି, ଦଲାଲି ଆଦି ବେଆଇନ୍ କାର୍ଯ୍ୟ ବନ୍ଦ ହୋଇପାରିବ ବୋଲି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏଣିକି ହିତାଧିକାରୀମାନେ ଆଉ କଣ୍ଟ୍ରୋଲ ଡିଲରଙ୍କ ପାଖକୁ ଯିବାର ଆବଶ୍ୟକତା ରହିବ ନାହିଁ । ହିତାଧିକାରୀମାନେ ଶସ୍ୟ ଏଟିଏମ୍‌ରୁ ଚାଉଳ, ଗହମ ନେଇ ପାରିବେ।

Related Articles

Back to top button