ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ କଲେ ପତାକା ଉତ୍ତୋଳନ
ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଚଳିତ ବର୍ଷ ଗାନ୍ଧୀ ମାର୍ଗରେ ଆୟୋଜିତ ସ୍ଵାଧୀନତା ଦିବସରେ ସେ ପ୍ରଥମ ଥର ପାଇଁ ମଖ୍ୟମନ୍ତ୍ରୀଭାବେ ପତାକା ଉତ୍ତୋଳନ କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସ୍ଵାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ବୀର ସଂଗ୍ରାମୀମାନଙ୍କୁ ସ୍ମରଣ କରିଛନ୍ତି ଶ୍ରୀଯୁକ୍ତ ମାଝୀ । ସ୍ଵାଧୀନତା ଦିବସ ପରେଡ଼ କାର୍ଯ୍ୟକ୍ରମରେ ମୋଟ ୫୮ଟି ଗ୍ରୁପ ଅଂଶଗ୍ରହଣ କରିଛନ୍ତି । ସେଥି ମଧ୍ୟରେ ୧୨୦ ବାଟାଲିୟନ, ଆଇଟିବିପି, ସିଆର୍ପିଏଫ, ବିଏସ୍ଏଫ, ଛତିଶଗଡ଼ ରାଜ୍ୟ ସଶସ୍ତ୍ର ପୁଲିସ, ରେଳ ସୁରକ୍ଷା ବଳ ସହିତ ଓଡ଼ିଶା ପୁଲିସ ଅଧୀନସ୍ଥ ବିଭିନ୍ନ ବିଭାଗ, ଅଗ୍ନିଶମ ବିଭାଗ ରହିଛି । ସେହିପରି ଏନସିସି, ସ୍କାଉଟ୍ ଗାଇନ୍ସ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମଧ୍ୟ ଏହି ପରେଡ଼ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ।