ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି୧୫ ମୃତ

ଆନ୍ଧ୍ରପ୍ରଦେଶର ଅନାକାପଲ୍ଲୀସ୍ଥିତ ଏକ ରାସାୟନିକ କାରଖାନାରେ ବୁଧବାର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଯୋଗୁଁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜିଲ୍ଲାପାଳ ବିଜୟା କ୍ରିଷ୍ଣନ କହିଛନ୍ତି ଯେ, ଅନକାପଲ୍ଲୀ ଜିଲ୍ଲାର ଅଚୁଟାପୁରମସ୍ଥିତ ଆସିଣ୍ଟିଆ ଆଡଭାନ୍ସଡ ସାଇନ୍ସ ପ୍ରାଇଭେଟ୍ ଲିମିଟେଡରେ ଅପରାହ୍ନ ୨ଟା ୧୫ମିନିଟରେ ଅଗ୍ନିକାଣ୍ଡ ଘଟିଥିଲା।୩୮୧ ଜଣ କର୍ମଚାରୀଙ୍କୁ ନେଇ ଏହି କାରଖାନା ଦୁଇଟି ସିଫ୍ଟରେ ଚାଲିଛି। ମଧ୍ୟାହ୍ନ ଭୋଜନ ସମୟରେ ଏହି ବିସ୍ଫୋରଣ ଘଟିଥିଲା। ତେଣୁ କର୍ମଚାରୀଙ୍କ ଉପସ୍ଥାନ କମ୍ ରହିଥିଲା। ବିସ୍ଫୋରଣର କାରଣ ବିଦ୍ୟୁତ ସମ୍ବନ୍ଧୀୟ ସମସ୍ୟା ହୋଇପାରେ ବୋଲି ଜିଲ୍ଲାପାଳ ସନ୍ଦେହ କରାଯାଉଛି। ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବିଭାଗର ୬ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ନିୟୋଜିତ ହୋଇଥିଲେ।ପ୍ରତ୍ୟକ୍ଷଦର୍ଶୀମାନେ ଦୁର୍ଘଟଣା ସମୟରେ ହୋଇଥିବା କ୍ଷୟକ୍ଷତି ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସେମାନେ କହିଥିଲେ ଯେ ଘଟଣାସ୍ଥଳର ଦୃଶ୍ୟ ଆଶ୍ଚର୍ଯ୍ୟଜନକ ଏବଂ ଆକାଶକୁ ସ୍ପର୍ଶ କରୁଥିବା ରିଏକ୍ଟରରୁ କଳା ଧୂଆଁ ବାହାରୁଥିଲା। ଧୂଆଁ ଆଖପାଖ ଗାଁକୁ ବ୍ୟାପିଯାଇଥିଲା। ଗ୍ରାମବାସୀଙ୍କ ମଧ୍ୟରେ ମଧ୍ୟ ଆତଙ୍କ ଖେଳିଯାଇଥିଲା। ଧୂଆଁ ଯୋଗୁଁ ତାଙ୍କୁ ନିଶ୍ୱାସ ନେବାରେ ମଧ୍ୟ ବହୁତ ଅସୁବିଧା ହେଉଥିଲା। ଏପରିକି ସେମାନେ କିଛି ଦେଖି ପାରିନଥିଲେ।

ବିସ୍ଫୋରଣ ଘଟଣା ପରେ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ୟୁନିଟରେ ଫସି ରହିଥିବା ୧୩ ଜଣଙ୍କୁ ଉଦ୍ଧାର କରାଯାଇଛି ବୋଲି ଜିଲ୍ଲାପାଳ ଏଜେନ୍ସିକୁ କହିଛନ୍ତି। ବିସ୍ଫୋରଣ ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଆହତମାନଙ୍କ ପାଇଁ ଆଶୁଆରୋଗ୍ୟ କାମନା କରିଛନ୍ତି। ସେହିପରି ପୀଡିତ ପରିବାରଙ୍କ ପାଇଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି। ସରକାର ମୃତ ଶ୍ରମିକଙ୍କ ପରିବାର ସହିତ ଠିଆ ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Related Articles

Back to top button