ଇସ୍ରାଏଲ ଉପରେ ୩ ଶହରୁ ଅଧିକ ରକେଟ୍ ମାଡ଼ କରି ଦେଇଛି ହେଜବୁଲ୍ଲା

ମଧ୍ଯପ୍ରାଚ୍ଯରେ କାୟା ମେଲାଉଛି ଯୁଦ୍ଧ ଘନଘଟା। ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ । ଆଉ ଏହାର ଜବାବ ଇସ୍ରାଏଲ ଉପରେ ୩ ଶହରୁ ଅଧିକ ରକେଟ୍ ମାଡ଼ କରି ଦେଇଛି ହେଜବୁଲ୍ଲା । ହେଜବୁଲ୍ଲା ହେଉଛି ଲେବାନନର ଏକ ଆତଙ୍କବାଦୀ ସଂଗଠନ । ଇସ୍ରାଏଲର ସେନା ଶିବିରକୁ ଟାର୍ଗେଟ କରି ଏହି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି ।କିଛିଦିନ ତଳେ ଇରାନରେ ଆତ୍ମଗୋପନ କରିଥିବା ହମାସର ମିଲିଟାରୀ ମୁଖ୍ଯକୁ ହତ୍ଯା କରାଯାଇଥିଲା । ଏଥିରେ ଇସ୍ରାଏଲର ହାତ ଥିବା ଅଭିଯୋଗ କରି ପ୍ରତିଶୋଧ ନେବାକୁ ଖୋଲାଖୋଲି ଘୋଷଣା କରିଥିଲେ ଇରାନ ଓ ହେଜବୁଲ୍ଲା । ସେମାନେ ଆକ୍ରମଣ କରିବା ଆଗରୁ ହିଁ ଲେବାନନରେ ଥିବା ହେଜବୁଲ୍ଲା ସଂଗଠନ ଉପରେ ବୋମା ପକାଇଥିଲା ଇସ୍ରାଏଲ । ଆଉ ଏହି ଆକ୍ରମଣକୁ ନେଇ ଇସ୍ରାଏଲ କହିଛି, ନିଜ ସୁରକ୍ଷା ଦୃଷ୍ଟିରୁ ଏହି ଆକ୍ରମଣ କରାଯାଇଛି । ବାହ୍ଯ ଆକ୍ରମଣକୁ ପ୍ରତିହତ କରିବାକୁ ନିଜ ସୀମାରେ ଇସ୍ରାଏଲ ଯୁଦ୍ଧ ବିମାନ ମଧ୍ଯ ମୁତୟନ କରିଛି । ଏହାସହ ଦେଶରେ ଜରୁରୀ ପରିସ୍ଥିତି ଜାରି କରାଯାଇଛି ।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ହମାସ । ଏଥିରେ ପ୍ରାୟ ୧୨ ଶହ ଲୋକଙ୍କ ମୃତ୍ଯୁ ହୋଇଥିଲା । ଶତାଧିକ ଲୋକଙ୍କୁ ବନ୍ଧକ କରି ରଖିଛି ହମାସ । ପାଲଟା ଜବାବରେ ଇସ୍ରାଏଲ ଗାଜା ଉପରେ ସାମରିକ କାର୍ଯ୍ଯାନୁଷ୍ଠାନ ଜାରି ରଖିଛି । ପୂରା ଗାଜା ଧ୍ଵଂସସ୍ତୁପରେ ପରିଣତ ହୋଇଥିବା ବେଳେ ୪୦ ହଜାରରୁ ଅଧିକ ପାଲେଷ୍ଟାଇନବାସୀଙ୍କ ମୃତ୍ଯୁ ଘଟି ସାରିଛି । ଏମାନଙ୍କ ମଧ୍ଯରୁ ଅଧିକାଂଶ ହେଉଛନ୍ତି ଶିଶୁ ଓ ମହିଳା । ଅନ୍ତର୍ଜାତୀୟ ସମୁଦାୟ, ଜାତିସଂଘ, ବିଭିନ୍ନ ମାନବାଧିକାର ସଂଗଠନର ଉଦବେଗ ସତ୍ତ୍ଵେ ଗାଜାର ବେସାମରିକ ଲୋକଙ୍କ ମୃତ୍ଯୁ କମିନାହିଁ।

Related Articles

Back to top button