ବାର୍ଡ଼ ଫ୍ଲୁ ବ୍ୟାପିବା ପରେ ୪ ଜଣିଆ ଅଫିସରଙ୍କୁ ନେଇ ପିପିଲି ବ୍ଲକରେ ଖୋଲିଛି କଣ୍ଟ୍ରୋଲ ରୁମ

ପିପିଲିରେ ବାର୍ଡ଼ ଫ୍ଲୁ ବ୍ୟାପିବା ପରେ ସଜାଗ ହୋଇଛି ପ୍ରଶାସନ । ୪ ଜଣିଆ ଅଫିସରଙ୍କୁ ନେଇ ପିପିଲି ବ୍ଲକରେ ଗୋଟିଏ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଏଥିରେ ମଙ୍ଗଳପୁର ମେଡିକାଲ ଅଫିସର, ବ୍ଲକ ପ୍ରୋଗ୍ରାମ୍ ମ୍ୟାନେଜର, ସୁପରଭାଇଜର ପବ୍ଲିକ ହେଲଥ୍ ଏଜୁକେସନ ଅଫିସରଙ୍କୁ ନିୟୋଜିତ କରାଯାଇଛି । ମଙ୍ଗଳପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଆଇସୋଲେସନ ରୁମ୍ ଖୋଲାଯାଇଛି ।ଏଥିରେ ୩ ଜଣ ଡାକ୍ତର, ଦୁଇ ଜଣ ଫାର୍ମାସିଷ୍ଟ ଅଫିସର, ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯାଇଛି । ସଂକ୍ରମଣ ବ୍ୟାପିଥିବା ଅଞ୍ଚଳର ୧୦ଟି ଗାଁରେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଅନୁଧ୍ୟାନ କରିବେ ୧୦ ଜଣ ଆଶାକର୍ମୀ । ଜର, କାଶ ହୋଇଥିଲେ ବ୍ୟକ୍ତିଙ୍କ ରକ୍ତ ନମୁନା ସଂଗ୍ରହ କରାଯିବ । ଜଣେ ପୀଡ଼ିତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିବା ବେଳେ ଏହାକୁ ପରୀକ୍ଷା ପାଇଁ ଭୋପାଳ ପଠାଯାଇଛି । ଏନେଇ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ବିନୟ କୁମାର ପଣ୍ଡା ସୂଚନା ଦେଇଛନ୍ତି ।

ଅନ୍ୟପଟେ ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନହେବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ଯେଉଁ ଅଞ୍ଚଳରେ ସଂକ୍ରମଣ ଚିହ୍ନଟ ହୋଇଛି ସେହି ଅଞ୍ଚଳରେ କୁକୁଡ଼ା ମାଂସ ନଖାବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ସଂକ୍ରମିତ କୁକୁଡ଼ାଙ୍କୁ ମରାଗଲେ ଫାର୍ମ ମାଲିକଙ୍କୁ ଦିଆଯିବ ଅନୁକମ୍ପା ଅର୍ଥ । ଫାର୍ମର ମାଲିକ ଓ ସେଠାରେ କାମ କରୁଥିବା କର୍ମଚାରୀମାନଙ୍କୁ ସଂକ୍ରମିତ ପକ୍ଷୀଙ୍କୁ ନ ବିକିବାକୁ କୁହାଯାଇଛି ।ସଂକ୍ରମଣ ବ୍ୟାପିଥିବା ଅଞ୍ଚଳରେ କୁକୁଡ଼ା ମରାଗଲେ ସେ ବାବଦରେ ଫାର୍ମ ମାଲିକଙ୍କୁ ମିଳିବ ଅନୁକମ୍ପା ଅର୍ଥ । ବର୍ତ୍ତମାନ ପିପିଲି ସତ୍ୟବାଦୀର ଦୁଇଟି ସ୍ଥାନରେ ସଂକ୍ରମଣ ଚିହ୍ନଟ ସହ କୁକୁଡ଼ା ମରା ଅଭିଯାନ ଚାଲିଛି। ଏହି ଦୁଇ ଜାଗାକୁ ଛାଡ଼ିଲେ ଅନ୍ୟ କୌଣସି ସ୍ଥାନରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇ ନଥିବା ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଏହାର ମୁକାବିଲା ପାଇଁ ଷ୍ଟେଟ ରାପିଡ ରେଷ୍ପନ୍ସ ଟିମ୍ ଓ ଜିଲ୍ଲା ରାପିଡ ରେସପନ୍ସ ଟିମ୍ କାର୍ଯ୍ୟ କରୁଛନ୍ତି।

 

Related Articles

Back to top button