ଆଗାମୀ ଦିନରେ ବସ୍ତି ବାସିନ୍ଦାଙ୍କୁ ଜାଗା ବଦଳରେ ମିଳିବ ଭଲ ଘର

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପୂର୍ବ ସରକାରର ଅନେକ ଯୋଜନାକୁ ବନ୍ଦ କରାଯିବା ସହିତ ଅନେକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମର ଜାଗା ମିଶନ ବନ୍ଦ ହୋଇଯିବା ନେଇ ଚର୍ଚ୍ଚା ହେଉଛି । ଏନେଇ ସରକାରୀ ଭାବେ କୌଣସି ଘୋଷଣା ହୋଇନଥିଲେ ହେଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ପାତ୍ର ଏହି ପ୍ରସଙ୍ଗରେ ପରୋକ୍ଷରେ ଇଙ୍ଗିତ କରିଥିବା ଜଣାପଡ଼ିଛି । ବର୍ଷା ପରେ ସହରର ଖାଲଖମା ଓ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । ସୂଚନାଯୋଗ୍ୟ ଯେ, ବସ୍ତି ବାସିନ୍ଦାଙ୍କ ପାଇଁ ପୂର୍ବ ବିଜେଡି ସରକାର ଅମଳରେ ‘ଜାଗା ମିଶନ’ ଆରମ୍ଭ କରାଯାଇଥିଲା । ସେହି ଯୋଜନାରେ ବସ୍ତିରେ ବସବାସ କରୁଥିବା ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ୬ଟି ପର୍ଯ୍ୟାୟରେ ପାଖାପାଖି ୬୫ ହଜାରରୁ ଅଧିକ ବାସିନ୍ଦାଙ୍କୁ ଏଲଆରସି ଦିଆଯାଇଥିଲା । ତେବେ ଲକ୍ଷାଧିକ ବାସିନ୍ଦା ଏହି ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହୋଇଥିବା କୁହାଯାଉଛି । ତେବେ ନୂଆ ସରକାର କ୍ଷମତାକୁ ଆସିବା ପରେ ଏହି ଯୋଜନାକୁ ନେଇ ଅନିଶ୍ଚିତତା ଦେଖାଦେବା ସହ କୌଣସି ହିତାଧିକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇ ନାହିଁ ।

ଏନେଇ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପାତ୍ର କହିଛନ୍ତି, ଜାଗା ମିଶନରେ ଜଙ୍ଗଲ, ରେଳ ବିଭାଗ ଭଳି କେତେକ ଜମିରେ ରହୁଥିବା ଲୋକଙ୍କୁ ପ୍ରମାଣପତ୍ର ଦିଆଯାଇ ପାରୁନାହିଁ । ସେଥିପାଇଁ ଆଗାମୀ ଦିନରେ ବସ୍ତି ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଭଲ ଘର ଯୋଗାଇ ଦିଆଯିବ । ହିତାଧିକାରୀମାନେ କିଭଳି ଭଲ ଜାଗାରେ ଭଲ ଘର ପାଇବେ ସେନେଇ ସମୀକ୍ଷା ଚାଲିଛି । ତେବେ ଜାଗା ମିଶନ ବନ୍ଦ ହେବ କି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ, ସେହି ପ୍ରସଙ୍ଗରେ ସରକାର କିଛି ନିଷପତ୍ତି ନେଇ ନାହାନ୍ତି ।

Related Articles

Back to top button