ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧାରେ ହେବ ରାଷ୍ଟ୍ରୀୟ ଲୋକଅଦାଲତ
ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୧୪ ତାରିଖରେ ଖୋର୍ଦ୍ଧା ଜିଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସର ଯଥା-ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଚିଲିକା, ଜଟଣୀ, ବେଗୁନିଆ ଓ ଟାଙ୍ଗୀଠାରେ ଏକ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହେବ ବୋଲି ଜିଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର ସୂଚନା ପ୍ରଦାନ କରିଛନ୍ତି ।ଉକ୍ତ ଲୋକଅଦାଲତରେ ସମସ୍ତ ପ୍ରକାରର ସାଲିସ୍ଯୋଗ୍ୟ ଫୌଜଦାରୀ ଓ ଦେୱାନି ମାମଲା ସହ ଗାଡ଼ିମଟର ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳଯୋଗାଣ, ପାରିବାରିକ, ବୈବାହିକ ମାମଲା, ଜମି ଅଧିଗ୍ରହଣ, ଶ୍ରମ ବିବାଦ ଓ ଚେକ୍ ବାଉନ୍ସ ଇତ୍ୟାଦି ମାମଲାଗୁଡ଼ିକର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇପାରିବ । ଜିଲ୍ଲା ଓ ଦୌରାଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଖୋର୍ଦ୍ଧା ଶ୍ରୀ ନିଶିଥ୍ ନିଶାଙ୍କଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଥିବା ଉକ୍ତ ରାଷ୍ଟ୍ରୀୟ ଲୋକଅଦାଲତରେ ଆପୋଷ ବୁଝାମଣା ଜରିଆରେ ଅଦାଲତମାନଙ୍କରେ ଥିବା ବିଚାରାଧୀନ ମାମଲା ଓ ନିଜ ନିଜ ମଧ୍ୟରେ ଥିବା ଯେକୌଣସି ମିଳାମିଶାଯୋଗ୍ୟ ବିବାଦର ସହଜ ଓ ସରଳ ସମାଧାନ ପାଇଁ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଜନସାଧାରଣଙ୍କୁ ଏହାର ସୁବିଧାସୁଯୋଗ ଯୋଗାଇ ଦିଆଯାଇପାରିବ ବୋଲି ପ୍ରାଧିକରଣଙ୍କ ସଚିବ ସୌଦାମିନି ସିଂ ପରାମର୍ଶ ପ୍ରଦାନ କରିଛନ୍ତି ।
କେବଳ ବିଚାରାଧିନ ମାମଲା ନୁହେଁ, ପ୍ରାକ୍ ମୋକଦ୍ଦମାସ୍ତରୀୟ ଯଥା- କଚେରିରେ ଦାୟର ହୋଇନଥିବା ମାମଲା ଯଥା ଚେକ୍ ବାଉନ୍ସ, ବ୍ୟାଙ୍କ ଋଣ ଅନାଦେୟ, ଶ୍ରମ ଓ ନିଯୁକ୍ତି ଏବଂ ଅନ୍ୟାନ୍ୟ ସାଲିସ୍ଯୋଗ୍ୟ ଫୌଜଦାରୀ ଓ ଦେୱାନି ମୋକଦ୍ଦମାର ମଧ୍ୟ ସମାଧାନ ଉକ୍ତ ଲୋକଅଦାଲତରେ ହୋଇପାରିବ ବୋଲି ଜଣାପଡ଼ିଛି । ଏଠାରେ ସୂଚନା ଦିଆଯାଉଛି କି ଉକ୍ତ ଲୋକଅଦାଲତରେ ମୋକଦ୍ଦମା ବା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ଦେବାକୁ ପଡ଼େ ନାହିଁ ଏବଂ ଲୋକଅଦାଲତଙ୍କ ରାୟ ବୈଧ, ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲା ଲୋକଅଦାଲତ ମାଧ୍ୟମରେ ଫଇସଲା ହୋଇଯାଏ ତା’ହେଲେ ଆଗରୁ ପଇଠ ହୋଇଥିବା କୋର୍ଟ ଫି ମଧ୍ୟ ଫେରସ୍ତ ହୋଇଥାଏ ।