ଦିଲ୍ଲୀ ସରକାରକୁ ବରଖାସ୍ତ କରିବାକୁ ଦାବି କରିଛି ବିଜେପି

ଆମ୍ ଆଦମୀ ପାର୍ଟିର ସରକାରକୁ ବରଖାସ୍ତ କରିବା ପାଇଁ ଦିଲ୍ଲୀ ବିଜେପି ବିଧାୟକମାନେ ବିଜେନ୍ଦର ଗୁପ୍ତାଙ୍କ ନେତୃତ୍ୱରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି । ଏବେ ରାଷ୍ଟ୍ରପତି ସଚିବାଳୟ ବିଜେପିର ଏହି ଦାବି ପତ୍ରକୁ ଗୃହ ସଚିବ ନିକଟକୁ ପଠାଇ ଜଣାଇଛନ୍ତି ଯେ, ଦିଲ୍ଲୀ ସାମ୍ବିଧାନିକ ସଙ୍କଟର ସାମ୍ନା କରୁଛି । ସଚିବାଳୟ ଅନୁଯାୟୀ, ଏହା ଉପରେ ଉଚିତ୍ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି । ଅଗଷ୍ଟ ୩୦ରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ ସମୟରେ ବିଜେପି ଦିଲ୍ଲୀ ସରକାରକୁ ବରଖାସ୍ତ କରିବାକୁ ଦାବି କରିଥିଲେ । ବିଧାୟକମାନେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲ୍ ଯିବାର ଦିଲ୍ଲୀରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଛି ।

ଦାବି ପତ୍ରରେ ବିଜେପି ବିଧାୟକମାନେ କହିଛନ୍ତି, ସରକାର ଷଷ୍ଠ ଦିଲ୍ଲୀ ବିତ୍ତ ଆୟୋଗ ଗଠନ କରିବାରେ ବିଫଳ ରହିଛି, ଯାହା ୨୦୨୧ ଏପ୍ରିଲରୁ ବିଚାରଧୀନ ରହିଛି । ଦାବି ପତ୍ରରେ କୁହାଯାଇଛି, ଏହା ଭାରତର ସମ୍ବିଧାନ ପ୍ରତି ଗମ୍ଭୀର ଉଲ୍ଲଂଘନ । ଏଥିରେ ସହର ପାଇଁ ଉଚିତ୍ ବିତ୍ତୀୟ ଯୋଜନା ଓ ସମ୍ବଳ ବଣ୍ଟନରେ ଗୁରୁତର ବାଧକ ସାଜିଛି । ବିଶେଷ କରି ଦିଲ୍ଲୀ ନଗର ନିଗମକୁ ପ୍ରଭାବିତ କରିଛି । ଏହା ବ୍ୟତୀତ ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀ ସରକାର ଜାଣିଶୁଣି କେନ୍ଦ୍ର ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନାକୁ ଲାଗୁ କରୁନାହିଁ । ଅନ୍ୟପଟେ ବିଜେପିକୁ ପାଲଟା ଜବାବ ଦେଇ ଆପ୍ କହିଛି ଯେ, ବିଜେପି ଦ୍ୱାରା ସରକାରକୁ ବରଖାସ୍ତ କରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ଯିବା ଏହା ଦର୍ଶାଉଛି ଯେ, ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାଜୟ ସ୍ୱୀକାର କରି ନେଇଛି । ଯେଉଁଠି ବିଜେପି ନିର୍ବାଚନ ଜିତି ପାରେ ନାହିଁ ସେଠି ରାଜ୍ୟର ନିର୍ବାଚିତ ସରକାରଙ୍କ କାମରେ ବାଧା ଦେବାକୁ ଚେଷ୍ଟା କରିଥାଏ ।

Related Articles

Back to top button