କ୍ୟାବିନେଟ୍ ବୈଠକରେ ତିନୋଟି ଗୁରୁତ୍ୱ ପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଛି ମୋହର

ଏଣିକି କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ଝିଅକୁ ମିଳିବ ଚାକିରି । ଗୁରୁବାର ରାଜ୍ୟ କ୍ୟାବିନେଟରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ତିନୋଟି ଗୁରୁତ୍ୱ ପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । କ୍ୟାବିନେଟ ବୈଠକର ନିଷ୍ପତି ଅନୁଯାୟୀ, ଥଇଥାନ ଯୋଜନାରେ କୌଣସି କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ଏଣିକି ଝିଅଙ୍କୁ ମିଳିବ ଉକ୍ତ ଚାକିରି । ବାପା/ମା’ଙ୍କ ଉପରେ ନିର୍ଭରଶୀଳ ଝିଅ କିମ୍ବା ସାବତ ଝିଅ ଏହି ନିଯୁକ୍ତି ପାଇପାରିବେ । କେବଳ ଅବିବାହିତ ନୁହଁନ୍ତି ବରଂ ବିବାହିତ ହୋଇଥିଲେ ବି ଝିଅ/ସାବତ ଝିଅ ବାପାଙ୍କ ଉପରେ ନିର୍ଭରଶୀଳ ଥିଲେ ସେ କ୍ଷେତ୍ରରେ ସେମାନଙ୍କୁ ନିଯୁକ୍ତି ମିଳିବ । ଥଇଥାନ ଯୋଜନାରେ ଏହି ଚାକିରି ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି ।

ସେହିପରି ଅଗ୍ନିବୀର ଯୋଜନାକୁ ନେଇ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନିଆଯାଇଛି । ସେହିପରି ଓଡ଼ିଶା ବେସାମରିକ ନିୟମାବଳୀରେ ୨୦୨୦ରେ ସଂଶୋଧନ କରାଯାଇଛି । ଏହାରି ଆଧାରରେ ରାଜ୍ୟ ୟୁନିଫର୍ମ ସର୍ଭିସରେ ଅଗ୍ନିବୀରମାନଙ୍କ ଲାଗି ୧୦% ସ୍ଥାନ ସଂରକ୍ଷଣକୁ ବୈଠକରେ ମଞ୍ଜୁରୀ ମିଳିଛି । ୧ ବର୍ଷ ପ୍ରଶିକ୍ଷଣ ଏବଂ ୪ ବର୍ଷ ଚାକିରି ପରେ ବି ଅଗ୍ନିବୀରମାନଙ୍କୁ ନିଯୁକ୍ତି ମିଳିବ । ସେମାନଙ୍କ ଲାଗି ପୋଲିସ, ଅଗ୍ନିଶମ ଏବଂ ବନ ବିଭାଗରେ ୧୦% ସଂରକ୍ଷଣ ପ୍ରଦାନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।ସେହିପରି ଗୋପାଳପୁର ବନ୍ଦର ଉପରେ ଆଉ ଏକ ବଡ଼ ଘୋଷଣା କରାଯାଇଛି । ଗୋପାଳପୁର ବନ୍ଦରକୁ ଆଦାନୀ ଗ୍ରୁପକୁ ହସ୍ତାନ୍ତର କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ବନ୍ଦରର ୯୫ ପ୍ରତିଶତ ଅଂଶଧନ ଆଦାନୀ ଗ୍ରୁପ ଅଧିଗ୍ରହଣ କରିବ । ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସଏଲ) ହାତରେ ରହିବ ୫ ପ୍ରତିଶତ ଅଂଶଧନ । ପୂର୍ବରୁ ଓଏସଏଲ ପାଖରେ ୪୪ ପ୍ରତିଶତ ଅଂଶଧନ ଥିଲା । ଆସନ୍ତା ୨ ମାସ ମଧ୍ୟରେ ଚୁକ୍ତିନାମା ସ୍ଵାକ୍ଷରିତ ହେବ । ଏହି ବୈଠକରେ ବିଭିନ୍ନ ବିଭାଗୀୟ ମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଏବଂ ସଚିବ ଉପସ୍ଥିତ ଥିଲେ ।

Related Articles

Back to top button