ଭସାଣିରେ ବାଜିବନି ଡିଜେ ଫୁଟିବନି ବାଣ

ଆଗକୁ ଆସୁଛି ଶାରଦୀୟ ଦୁର୍ଗା ପୂଜା। ଏଥିପାଇଁ ଚାରିଆଡ଼େ ଜୋରସୋରରେ ପ୍ରସ୍ତୁତି ଚାଲିଛି । କଟକ ସହରରେ ଦୁର୍ଗା ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ କରିବା ପାଇଁ କମିଶନରେଟ ପୋଲିସ କଟକଣା ଜାରି ରଖିଛି। ଭସାଣିରେ ୬ଟି ସାଉଣ୍ଡ ବକ୍ସ ବ୍ୟବହାର ନ କରିବା ପାଇଁ ବାରଣ କରାଯାଇଛି। ଏଥିସହ ଦଶହରାରେ ଡିଜେ ସମ୍ପୂର୍ଣ୍ଣ ନିଷେଧ ହୋଇଛି। ଏହା ସହ ସୁନା ଓ ଚାନ୍ଦି ମେଢ଼ ମଣ୍ଡପ ନିକଟରେ ବନ୍ଧୁକଧାରୀ ପୋଲିସ ମୁତୟନ ହେବେ। କଟକ ପୋଲିସ ପକ୍ଷରୁ ଆୟୋଜିତ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ ପରେ କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର ଏହି ସୂଚନା ଦେଇଛନ୍ତି।

ସେହିପରି ଦୁର୍ଗାପୂଜା ଭସାଣି ସମୟରେ ବାଣ ଫୁଟାଯାଇ ପାରିବନି। ରାତି ୧୦ଟା ପର୍ଯ୍ୟନ୍ତ ଶୋଭାଯାତ୍ରା କରିବାର ଅନୁମତି ରହିଛି କିନ୍ତୁ ଯଦି ରାଜ୍ୟ ସରକାର ଅନୁମତି ଦେବେ, ତେବେ ରାତି ୧୨ ଟା ପର୍ଯ୍ୟନ୍ତ ଶୋଭାଯାତ୍ରା ଚାଲିପାରିବ ବୋଲି ଅତିରିକ୍ତ ଡିସିପି ସୂଚନା ଦେଇଛନ୍ତି।ଡିସିପି ଆହୁରି କହିଛନ୍ତି ଯେ, ଚଳିତ ବର୍ଷ ପୂଜାକୁ ଅପରାଧମୁକ୍ତ କରିବା ପାଇଁ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜୋର୍ ଜବରଦସ୍ତ ଚାନ୍ଦା ଆଦାୟକୁ ଜିରୋ ଟଲରେନ୍ସ ହିସାବରେ ଗ୍ରହଣ କରିଛି କମିଶନରେଟ ପୁଲିସ। ଏଭଳି ଚାନ୍ଦା ଆଦାୟ ସଂପର୍କରେ ଏକ ଟୋଲ ଫ୍ରି ନମ୍ବର ଜାରି କରାଯିବ। କିନ୍ତୁ ସ୍ୱେଚ୍ଛାକୃତ ଚାନ୍ଦାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ଅନୀଲ ମିଶ୍ର । ପୋଲିସ ପକ୍ଷରୁ ଆୟୋଜିତ ଏହି ଦୁର୍ଗା ପୂଜା ପ୍ରସ୍ତୁତି ବୈଠକରେ ଶାନ୍ତି କମିଟି, ମହାନଗର ପୂଜା କମିଟି ସମେତ ଜନ ପ୍ରତିନିଧି ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ମଧ୍ଯ ଉପସ୍ଥିତ ଥିଲେ ।

Related Articles

Back to top button