ଇଲିସି ମାଛକୁ ନେଇ ବଡ଼ ଘୋଷଣା କଲେ ବାଂଲାଦେଶ ସରକାର

ଇଲିସି ମାଛକୁ ନେଇ ବାଂଲାଦେଶ ସରକାର ବଡ଼ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ହିନ୍ଦୁମାନଙ୍କର ସବୁଠାରୁ ବଡ଼ ପର୍ବ ଦୁର୍ଗାପୂଜା ପୂର୍ବରୁ ବଡ଼ ପଦକ୍ଷେପ ନେଇଛନ୍ତି। ଦେଶର ଅନ୍ତରୀଣ ୟୁନୁସ ସରକାର ଭାରତର ଚାହିଦା ପୂରା କରିବାକୁ ୩୦୦୦ ଟନ୍‌ ଇଲିସି ମାଛ ରପ୍ତାନୀ କରିବାକୁ ମଂଜୁରୀ ଦେଇଛନ୍ତି। ଶେଖ୍‌ ହସିନା ବାଂଲାଦେଶ ସରକାରରୁ ଯିବା ପରେ ଅନ୍ତରୀଣ ସରକାର ଦୁର୍ଗାପୂଜା ପୂର୍ବରୁ ଇଲିସି ମାଛର ରପ୍ତାନୀ ଉପରେ କଟକଣା ଲଗାଇଥିଲେ। ମାତ୍ର ଏହି ନିଷ୍ପତ୍ତି ଅଧିକ ଦିନ ତିଷ୍ଠି ରହିପାରିଲା ନାହିଁ। କଟକଣା ହଟାଇବାକୁ ଯାଇ ଇଲିସି ମାଛ ରପ୍ତାନୀକୁ ୟୁନୁସ ସରକାର ମଂଜୁରୀ ଦେଇଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ବାଣିଜ୍ୟିକ ମନ୍ତ୍ରାଳୟ ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଭାରତକୁ ୩୦୦୦ ଟନ୍‌ ଇଲିସି ମାଛ ରପ୍ତାନୀକୁ ମଂଜୁରୀ ଦେଇଛି। ଏହା ପୂର୍ବରୁ ୨୦୨୩ ଦୁର୍ଗା ପୂଜାରେ ଭାରତକୁ ବାଂଲାଦେଶ ୫୦୦୦ ଟନ୍‌ ଇଲିସି ମାଛ ରପ୍ତାନୀ କରିଥିଲା। ସୂଚନାଯୋଗ୍ୟ, ଉଭୟ ଭାରତ ଓ ବାଂଲାଦେଶରେ ଇଲିସି ମାଛର ଚାହିଦା ବେଶୀ। ଦୁର୍ଗାପୂଜା ସମୟରେ ଏହା ଏକ ସ୍ବାଦିଷ୍ଟ ବ୍ୟଞ୍ଜନ ଭାବେ ଗ୍ରହଣ କରାଯାଇଥାଏ। ଦୁର୍ଗାପୂଜା ଉଭୟ ଭାରତ ଓ ବାଂଲାଦେଶରେ ଉତ୍ସାହର ସହିତ ପାଳନ କରାଯାଇଥାଏ। ତେଣୁ ଏହି ସମୟରେ ଇଲିସି ମାଛର ଚାହିଦା ଅଧିକ ରହିଥାଏ। ଭାରତୀୟ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ବାଂଲ‌ାଦେଶ ଇଲିସି ମାଛ ପଠାଇଥାଏ। ହାସିନା ପ୍ରଧାନମନ୍ତ୍ରୀ ଥିବା ବେଳେ ଭାରତର ଏହି ଆବଶ୍ୟକତାକୁ ଭଲ ଭାବରେ ହୃଦୟଙ୍ଗମ କରିଥିଲେ।

Related Articles

Back to top button