ପୁଣି ଜାରି ହେଲା କଟକଣା: ରାସ୍ତା ଉପରେ ତୋରଣ ମନା

ଶାରଦୀୟ ଦୁର୍ଗାପୂଜାକୁ ଆଉ ମାତ୍ର କେଇଟା ଦିନ ବାକି ରହିଛି । ସମସ୍ତ ପୂଜା କମିଟି ତରଫରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । କିନ୍ତୁ ପାର୍ବଣ ପୂର୍ବରୁ କମିଟିଗୁଡ଼ିକୁ ଗୋଟେ ପରେ ଗୋଟେ ଝଟକା ଲାଗୁଛି । ଚଳିତ ବର୍ଷ ଦୁର୍ଗାପୂଜାକୁ ନେଇ ଅନେକ କଟକଣା ଜାରି କରାଗଲାଣି । ପ୍ରଥମେ ଡିଜେ, ବାଣ, ମଦ ଏବଂ ଚାନ୍ଦା ମାଗିବା ଉପରେ ଟୁଇନ୍ ସିଟିରେ କଟକଣା ଲଗାଯାଇଥିବାବେଳେ ଆଜି ତୋରଣ ଉପରେ ମଧ୍ୟ ରୋକ ଲଗାଯାଇଛି । ଏ ନେଇ ଓଡ଼ିଶା ଉଚ୍ଚ ଅଦାଲତ ଗୁରୁତ୍ୱ ପୂର୍ଣ୍ଣ ରାୟ ଦେଇଛନ୍ତି । ହାଇକୋର୍ଟ ଗୁରୁବାର ଶୁଣାଣି କରି ରାସ୍ତା ଉପରେ ତୋରଣ ନିର୍ମାଣ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାସ୍ତା ଉପରୁ କେବୁଲ ଓ ତାର ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆସନ୍ତା ୫ ତାରିଖ ସୁଦ୍ଧା ସମସ୍ତ ରାସ୍ତା ମରାମତି କାମ ସାରିବାକୁ ପୂର୍ତ୍ତ ବିଭାଗ ସଚିବ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି । ତେବେ କଟକ ସହରର ଏକାଧିକ ସମସ୍ୟାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି । ରାସ୍ତାର ଦୂରାବସ୍ଥାକୁ ନେଇ କଟକ ମହାନଗର ନିଗମକୁ କୋର୍ଟ ଭର୍ସନା କରିଛନ୍ତି । ଦୁର୍ଗାପୂଜା ପାଇଁ କମିଶନରେଟ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଛି । ଦୈତନଗରୀ କଟକ-ଭୁବନେଶ୍ୱରରେ ଏଥର ଦୁର୍ଗାପୂଜାରେ ଡିଜେକୁ ବାରଣ କରାଯାଇଛି । ଏହା ସହିତ ମଦ ଓ ପ୍ଲାଷ୍ଟିକ୍ ମୁକ୍ତ ଦୁର୍ଗାପୂଜାକୁ ଗୁରୁତ୍ଵ ଦିଆଯାଇଛି । ପୂଜା କମିଟି ମଧ୍ୟ ବଟି ମାଗିଲେ ସଂପୃକ୍ତ ବ୍ୟକ୍ତି ଗିରଫ ହେବେ ବୋଲି ପୁଲିସ କମିଶନର ସଞ୍ଜୀବ ପଣ୍ଡା କଡ଼ା ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସ୍ୱଇଚ୍ଛାରେ କେହି ଦାନ ଦେବାକୁ ଚାହୁଁଥିଲେ ଦେଇପାରିବେ । ସେହିପରି ରାବଣ ପୋଡିରେ ବାଣ ବ୍ୟବହାର ନକରିବାକୁ ନିବେଦନ କରାଯାଇଛି ।

Related Articles

Back to top button