ଦେଶ ପାଇଁ ୩ଟି ପରମ ରୁଦ୍ର ସୁପରକମ୍ପ୍ୟୁଟିଂ ସିଷ୍ଟମ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶ ପାଇଁ ୩ଟି ପରମ ରୁଦ୍ର ସୁପରକମ୍ପ୍ୟୁଟିଂ ସିଷ୍ଟମ ଉତ୍ସର୍ଗ କରିଛନ୍ତି। ଏହି ତିନୋଟି ସୁପର କମ୍ପ୍ୟୁଟର ହେଉଛି ଭାରତରେ ନିର୍ମିତ ପ୍ରଥମ ସୁପର କମ୍ପ୍ୟୁଟର,ଯାହା ନାସନାଲ ସୁପର କମ୍ପ୍ୟୁଟିଙ୍ଗ ଅଭିଯାନ ଅନ୍ତର୍ଗତ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି। ଏଥିପାଇଁ ୧୩୦ କୋଟି ଖର୍ଚ୍ଚ ହୋଇଛି । ଏହାକୁ ପୁଣେ, ଦିଲ୍ଲୀ ଏବଂ କୋଲକାତାରେ ନିୟୋଜିତ କରାଯିବ। ପରିବେଶ ଓ ଜଳବାୟୁ ସହ ବିଜ୍ଞାନ, ସ୍ବାସ୍ଥ୍ୟ ଓ ମହାକାଶ ବିଜ୍ଞାନ କ୍ଷେତ୍ରରେ ସହଯୋଗ କରିବ ଏହି ସୁପର କମ୍ପ୍ୟୁଟର। ଏକାସଙ୍ଗେ ହଜାରେ କମ୍ପ୍ୟୁଟରର କାମ କରିବ ସୁପର କମ୍ପ୍ୟୁଟର ପରମ ରୁଦ୍ର ।ଦେଶ ପାଇଁ ଏହି କମ୍ପ୍ୟୁଟରର ଉପଲବ୍ଧି ମାଇଲଷ୍ଟୋନ୍ ହୋଇ ରହିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

 

 

ଆଜିବି ଜାରି ରହିଛି ନର୍ସିଂ କର୍ମଚାରୀଙ୍କ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ । ଫଳରେ ବାଧାପ୍ରାପ୍ତ ହୋଇଛି ରୋଗୀ ସେବା । କ୍ୟାପିଟାଲ ହାସପାତାଳରେ ଜରୁରୀକାଳୀନ ସେବା ହୋଇଛି ବାଧାପ୍ରାପ୍ତ । ଜରୁରୀକାଳୀନ ୱାର୍ଡରେ ନାହାନ୍ତି ନର୍ସ । ରାଜ୍ୟର ସମସ୍ତ ସରକାରୀ ହାସପାତାଳରେ ଜରୁରୀ ସେବା କାର୍ଯ୍ୟରେ ଯୋଗ ଦେଇ ନାହାଁନ୍ତି ନର୍ସିଂ ଅଧିକାରୀ। ସେପଟେ କଟକ ଏସସିବିରେ ବି ଉପୁଜିଛି ସମାନ ସ୍ଥିତି । ଏସମା ଆଇନକୁ ଖାତିର ନକରି ନର୍ସିଂ ଅଧିକାରୀ ପୂରା ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଅଚଳ କରିବାକୁ ବସିଥିବା ବେଳେ ସରକାରଙ୍କ ସହ ପ୍ରଥମ ଆଲୋଚନା ହୋଇଛି ବିଫଳ ।

 

ପୁରୀ ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷା । ରୋଷଶାଳାକୁ ଜିନିଷ ଯିବା ପୂର୍ବରୁ ଓ ରୋଷଶାଳାରୁ ଅବଢ଼ା ବାହାରିବା ପରେ ଏହାର ମାନକୁ କରାଯିବ ପରୀକ୍ଷଣ । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଥିବା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏଥିପାଇଁ ଖାଦ୍ୟ ଇନ୍ସପେକ୍ଟରଙ୍କୁ କରାଯିବ ନିୟୋଜିତ । ଦେଶର ଅନ୍ୟ ମନ୍ଦିର ଭଳି ପୁରୀ ମନ୍ଦିରରେ ଯେଭଳି ମହାପ୍ରସାଦ ମାନ ନେଇ ଅଭିଯୋଗ ନ ଆସୁ ସେଥିପାଇଁ ମାନ ପରୀକ୍ଷଣ ଜରୁରୀ ବୋଲି କହିଛନ୍ତି ଆଇନମନ୍ତ୍ରୀ ।ସେପଟେ କିନ୍ତୁ ଏହି ଘୋଷଣାକୁ ନାପସନ୍ଦ କରିଛନ୍ତି ଭକ୍ତ ଓ ବୁଦ୍ଧିଜୀବୀ । ମହାପ୍ରସାଦର ମାନ ଯାଞ୍ଚ କରିବାର ଅର୍ଥ ମହାପ୍ରଭୁଙ୍କ ଅପମାନ ବୋଲି ପ୍ରକାଶ ପାଇଛି ମତ । ଅନ୍ୟପଟେ ଶ୍ରୀମନ୍ଦିର ୪ ଦ୍ବାର ଦେଇ ମହାପ୍ରସାଦ ଯାଉଥିବାରୁ ପ୍ରତି ଦ୍ବାରରେ ମହାପ୍ରସାଦ ପାଇଁ ଯାଉଥିବା ସାମଗ୍ରୀର ମାନ ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ମୁକ୍ତିମଣ୍ଡପ ପଣ୍ଡିତ ହରିଶଙ୍କର ମିଶ୍ର ।

 

ଭରତପୁର ଥାନା ବିବାଦ ଘଟଣାରେ ନୀଲମ୍ବିତ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ପରେ ଅନ୍ଯ ୪ ନିଲମ୍ବିତ ପୋଲିସ କର୍ମଚାରୀଙ୍କର ବି ହେବ ମିଛଧରା ପରୀକ୍ଷା । ସେମାନଙ୍କର ପଲିଗ୍ରାଫ ପରୀକ୍ଷା ପାଇଁ ଅଦାଲତରେ ଆବେଦନ କରିଛି କ୍ରାଇମବ୍ରାଞ୍ଚ । ଏହା ସହ ଆବଶ୍ଯକସ୍ଥଳେ କରାଯିବ ଲାଏ ଡିଟେକ୍ସନ ଓ ବ୍ରେନ ମ୍ୟାପିଂ ପରୀକ୍ଷା । ଏଥିପାଇଁ ନିଲମ୍ବିତ ପୋଲିସ କର୍ମଚାରୀଙ୍କ ମଗାଯାଇଛି ସହମତି । ଖୁବଶୀଘ୍ର ଏନେଇ ଆସିବ ଅଦାଲତଙ୍କ ନିଷ୍ପତ୍ତି । ୪ ନିଲମ୍ବିତ ପୋଲିସ କର୍ମଚାରୀ ହେଲେ ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ଶୈଳମୟୀ ସାହୁ, ଏଏସଆଇ ସାଗରିକା ରଥ ଓ କନଷ୍ଟେବଳ ବଳରାମ ହାଁସଦା ।

 

 

 

ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି ୨ଦିନିଆ ଜିଲ୍ଲାପାଳ ସମ୍ମିଳନୀ। ଏଥିରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଜିଲ୍ଲାପାଳଙ୍କ ନିକଟରେ ହୁଏ ଲୋକଙ୍କ ସମସ୍ୟା ସମାଧାନ। ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ସେବା କରିବାକୁ ରଖିଛି ଲକ୍ଷ୍ୟ । ସରକାରୀ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରୀ ଜିଲ୍ଲାପାଳଙ୍କ ହାତରେ। ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ଜିଲ୍ଲାପାଳଙ୍କ ଦାୟିତ୍ବ।ସରକାର ଓ ଲୋକଙ୍କ ମଧ୍ୟରେ ମୁଖ୍ୟ ସେତୁ ହେଉଛନ୍ତି ଜିଲ୍ଲାପାଳ। ସରକାରୀ ଯୋଜନା କାର୍ଯ୍ୟକାରୀ ହେଲେ ଓଡ଼ିଶାରୁ ହଟିବ ଗରିବୀ ।ରାଜଧାନୀକୁ ଛାଡ଼ିଦେଲେ ଅନ୍ୟ ସବୁଠି ସରକାର କହିଲେ ଜିଲ୍ଲାପାଳ।ଥାନା ଓ ଶିକ୍ଷାନୁଷ୍ଠାନକୁ ଯିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଠାରେ କୌଣସି ତ୍ରୁଟିବିଚ୍ୟୁତି ଦେଖିଲେ ନିଅନ୍ତୁ କାର୍ଯ୍ୟାନୁଷ୍ଠାନ । ଏହି ସମୟରେ ସେ ନିଜ ସହ ଘଟିଥିବା ଏକ ଘଟଣାର କରିଥିଲେ ଅବତାରଣା ।ସେ ଆହୁରି କହିଛନ୍ତି ଯେ, ପୂର୍ବ ସରକାର ବେଳେ ହୋଇଥିବା ଦୁର୍ନୀତିର ତଦନ୍ତ କରନ୍ତୁ ଜିଲ୍ଲାପାଳ । ଗଣମାଧ୍ୟମ, ସାମାଜିକତ ଗଣମାଧ୍ୟମରେ ଆସୁଥିବା ଅଭିଯୋଗ ବାବଦରେ କରନ୍ତୁ ଅନୁଧ୍ୟାନ । ସେହିପରି ସ୍କୁଲ କାନ୍ଥରେ ରଙ୍ଗ ବୋଳି ଦେଲେ ବିକାଶ ହୁଏନି ବୋଲି କହି ପୂର୍ବ ସରକାରର 5Tଟି ବ୍ୟବସ୍ଥାକୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 

 

 

ବିଫଳ ହେଲା ଇସ୍ରାଏଲ୍‌-ଲେବାନନ୍‌ ମଧ୍ୟରେ ଯୁଦ୍ଧ ରୋକିବାକୁ ଚାହୁଁଥିବା ଆମେରିକା ଓ ଫ୍ରାନ୍ସର ସବୁ ଉଦ୍ୟମ । କାରଣ ଯୁଦ୍ଧବିରତି ପ୍ରସ୍ତାବକୁ ଅଗ୍ରାହ୍ୟ କରିଛି ଇସ୍ରାଏଲ । ଏହାଛଡ଼ା ଲେବାନନ୍‌ରେ ଥିବା ହିଜବୁଲ୍ଲା ସଂଗଠନ ଉପରେ ପ୍ରଚଣ୍ଡ ପ୍ରହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ । ହିଜ୍‌ବୁଲ୍ଲାକୁ ସମ୍ପୂର୍ଣ୍ଣ ନିପାତ ନକରିବା ଯାଏ ଜାରି ରହିବ ସଙ୍ଘର୍ଷ । ନେତନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏଣିକି ସମସ୍ତ ବଳ ଖଟାଇ ଲେବାନନ୍‌ରେ ଯୁଦ୍ଧ ଜାରି ରଖିବ ସେନା। ଗାଜାରେ ଯେପରି ଇସ୍ରାଏଲୀ ସେନା ପଶି ଧ୍ୱଂସଲୀଳା ରଚିଥିଲେ, ଠିକ୍ ସେହିପରି ଲେବାନନ୍‌ରେ ମଧ୍ଯ ଦେଖିବାକୁ ମିଳିବ ଯୁଦ୍ଧ ।

 

 

 

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶିଗେରୁ ଇଶିବାଙ୍କୁ ନିଜର ନେତା ଭାବରେ ମନୋନୀତ କରିଛନ୍ତି ଜାପାନର ଶାସକ ଦଳ, ଯିଏ ଆସନ୍ତା ସପ୍ତାହରେ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଗ୍ରହଣ କରିବେ ଶପଥ । ଶିଗେରୁ ତାଙ୍କ କାର୍ଯ୍ୟାଳୟରେ ମଡେଲ ବ୍ୟାଟଲଶିପ୍‌ ଏବଂ ଯୁଦ୍ଧ ବିମାନ ରଖିବା ପାଇଁ ଜଣାଶୁଣା। ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଚାଇନା ଏବଂ ଉତ୍ତର କୋରିଆ ଦ୍ୱାରା ସୃଷ୍ଟି ହୋଇଥିବା ବିପଦକୁ ପ୍ରତିହତ କରିବା ପାଇଁ ‘ଏସୀୟ ନାଟୋ’ ଗଠନ ପାଇଁ ପ୍ରସ୍ତାବ ଦେଇ ବି ବେଶ୍‌ ପରିଚିତ ଶିଗେରୁ ଇଶିବା।

 

 

ଓଡିଶାର ବିଭିନ୍ନ ସ୍ଥାନରେ ଜାରି ରହିଛି ତୁହାକୁ ତୁହା ବର୍ଷା । ଘୂର୍ଣ୍ଣିବଳୟ ପ୍ରଭାବରେ କଟକ ଭୁବନେଶ୍ବରରେ ଗତକାଲିଠୁ ଲଗାଣ ବର୍ଷା ଜାରି ରହିଥିବା ବେଳେ ଆଜି ଅପରାହ୍ନରୁ ପାଗରେ ଆସିଛି ସାମାନ୍ୟ ସୁଧାର । ତେବେ ଆସନ୍ତା ୩ ଦିନ ଯାଏଁ ଭୁବନେଶ୍ବରରେ ପାଗ ମେଘୁଆ ସହ ବର୍ଷା ହେବାନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ଟ୍ରପଲାଇନ ପ୍ରଭାବରେ ୫ ଦିନ ପର୍ଯ୍ଯନ୍ତ ରାଜ୍ଯର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ହୋଇପାରେ ସ୍ବଳ୍ପରୁ ମଧ୍ଯମରଣର ବର୍ଷା ।

Related Articles

Back to top button