ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ବୁଧବାର ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହା କେବଳ ଲଘୁଚାପ ହୋଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ବର୍ତ୍ତମାନ ଏହାକୁ ନେଇ କୌଣସି ବାତ୍ୟା ଭୟ ନଥିବା କହିଛନ୍ତି ଭାରତୀୟ ପାଣିପାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ମାତ୍ର ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୪ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ୪ ତାରିଖ ପରେ ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ ବର୍ଷାର ପରିମାଣ ବଢିବ।

ଅନ୍ୟପକ୍ଷରେ ମୌସୁମୀ ବିଦାୟ ନେବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଏବେ ଯାଏଁ ୯ଟି ରାଜ୍ୟରୁ ମୌସୁମୀ ବିଦାୟ ନେଇଛି । ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ପୁରା ଜମ୍ମୁ-କାଶ୍ମୀର, ଲଦାଖ, ଗିଲଗିଟ, ବାଲିଟିସ୍ତାନ, ମୁଜଫରାବାଦ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ, ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶ ବ୍ୟତୀତ ପଶ୍ଚିମ ମଧ୍ୟ ପ୍ରଦେଶ ଓ ପୂର୍ବ ରାଜସ୍ଥାନର କିଛି ଅଞ୍ଚଳରୁ ଫେରି ଯାଇଛି ବୋଲି ଆଇଏମଏଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଅକ୍ଟୋବରୁ ଡିସେମ୍ବର ପର୍ଯ୍ୟନ୍ତ ମୌସୁମୀର ପ୍ରତ୍ୟାବର୍ତ୍ତନ ସମୟରେ ତାମିଲନାଡୁ, ଉପକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶ, କେରଳ ଓ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ଅଧିକ ବର୍ଷା ହୋଇପାରେ । ଆଇଏମଡି କହିଛି ଭାରତରେ ଚଳିତ ବର୍ଷ ସ୍ୱାଭାବିକ ଠାରୁ ଅଧିକ ମୌସୁମୀ ବର୍ଷା ହୋଇଛି । ଅଧିକରୁ ଅଧିକ ଲଘୁଚାପ କାରଣରୁ ୨୦୨୪ରେ ମୌସୁମୀ ସମୟରେ ଭାରତରେ ସ୍ୱାଭାବିକଠୁ ଆଠ ପ୍ରତିଶତ ଅଧିକ ବର୍ଷା ହୋଇଛି ।

Related Articles

Back to top button