ଗାଜାରେ ପ୍ରାଣ ହରାଇଲେଣି ୪୧,୭୮୮ ନାଗରିକ
ଇସ୍ରାଏଲ-ହମାସ ଯୁଦ୍ଧକୁ ୧ ବର୍ଷ ପୂରଣ ହେବାକୁ ଯାଉଛି। ଏହା ମଧ୍ୟରେ ଆତଙ୍କବାଦୀ ସଂଗଠନ ହମାସ ଏକ ପ୍ରକାର ନିଶ୍ଚହ୍ନ ହୋଇସାରିଲାଣି। ଗାଜାପଟିରେ ସରକାର ଚଳାଇଥିବା ହମାସର ମୁଖ୍ୟ ରହି ମୁସ୍ତାହା ମଧ୍ୟ ନିପାତ ହୋଇସାରିଛି। ୩ ମାସ ତଳେ ଇସ୍ରାଏଲର ଏକ ଏୟାରଷ୍ଟ୍ରାଇକରେ ମୁସ୍ତାହା ପ୍ରାଣ ହରାଇଥିବା ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) ପକ୍ଷରୁ କୁହାଯାଇଛି। ମୁସ୍ତାହା ଉତ୍ତର ଗାଜାରେ ଏକ ଭୂତଳ କମ୍ପାଉଣ୍ଡରେ ଲୁଚିଥିବାବେଳେ ରକେଟ ମାଡ଼ରେ ନିହତ ହୋଇଥିଲା। ମୁସ୍ତାହା ସହିତ ଅନ୍ୟ ଦୁଇ ହମାସ କମାଣ୍ଡର ସମେହ ସିରାଜ ଏବଂ ସମେହ ଔଦେହ ମଧ୍ୟ ପ୍ରାଣ ହରାଇଥିବା ଆଇଡିଏଫ ଗୁରୁବାର ଘୋଷଣା କରିଛି।ଅନ୍ୟପଟେ ଗତ ୧ ବର୍ଷ ମଧ୍ୟରେ ଇସ୍ରାଏଲ-ହମାସ ଯୁଦ୍ଧରେ ୪୧ ହଜାର ୭୮୮ ଜଣ ନାଗରିକ ପ୍ରାଣ ହରାଇଥିବା ହମାସ ସରକାର ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୯୯ ଜଣ ନିହତ ହୋଇଛନ୍ତି। ଏହା ବ୍ୟତୀତ ୯୬ ହଜାର ୭୯୪ ଜଣ ଆହତ ହୋଇଥିବା ସେ କହିଛନ୍ତି।