ସୁଭଦ୍ରା ଟଙ୍କା ପାଇ ନ ଥିବା ମହିଳାଙ୍କୁ ମନ୍ତ୍ର ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ
ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ହିତାଧିକାରୀଙ୍କ ନିକଟକୁ ପଇସା ପହଞ୍ଚି ସାରିଛି । ତେବେ ଏବେ ବି ଲକ୍ଷାଧିକ ହିତାଧିକାରୀ ଏହାରି ଅପେକ୍ଷାରେ ରହିଛନ୍ତି । ଅନେକ କିଛି ତ୍ରୁଟି କାରଣରୁ ସୁଭଦ୍ରା ଟଙ୍କା ପାଇ ପାରି ନାହାନ୍ତି । ଏ ଯାଏଁ ସୁଭଦ୍ରା ଟଙ୍କା ପାଇ ନ ଥିବା ମହିଳାଙ୍କୁ ମନ୍ତ୍ର ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡା । ଏଥିସହ ହିତାଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ।
ସେ କହିଛନ୍ତି ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଲିଙ୍କ କରନ୍ତୁ । ପ୍ରାୟ ୫ ଲକ୍ଷ ଆବେଦନକାରୀଙ୍କ ବ୍ୟାଙ୍କ ସହ ମୋବାଇଲ ନମ୍ବର ଲିଙ୍କ ହୋଇନି । ବ୍ୟାଙ୍କ ଆକାଉଣ୍ଟ-ଆଧାର-ମୋବାଇଲ ନମ୍ବର ମଧ୍ୟରେ ସମନ୍ୱୟ ନାହିଁ । ଯାହାର ଦୁଇ ତିନିଟି ଆକାଉଣ୍ଟଅଛି, ସେମାନଙ୍କର ଏଭଳି ସମସ୍ୟା ହେଉଛି । ତେଣୁ ବ୍ୟାଙ୍କ ଯାଇ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଯୋଡନ୍ତୁ । ବାକି ୨୪ ତାରିଖରେ ଅବଶିଷ୍ଟ ଥିବା ହିତାଧିକାରୀଙ୍କୁ ଟଙ୍କା ମିଳିଯିବା କଥା । ଯଦି କେହି ବଞ୍ଚିତ ହୁଅନ୍ତି ତେବେ ୨୪ ତାରିଖ ପରେ ଗାଁ ଗାଁକୁ ଯିବ ଟିମ୍ । ଅଙ୍ଗନବାଡି କର୍ମୀ ବ୍ୟକ୍ତିଗତ ଭାବେ ଯାଇ ଟଙ୍କା ପାଇ ନ ଥିବା ବ୍ୟକ୍ତିଙ୍କ କାଗଜପତ୍ର ଭେରିଫିକେସନ କରିବେ ।
ସୂଚନାଯୋଗ୍ୟ, ନଭେମ୍ବର ୨୪ ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ବିତରଣ କରାଯିବ । ଏ ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଚାଲିଛି । ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ । ତେବେ ଯେଉଁମାନଙ୍କ ଆବେଦନରେ ତ୍ରୁଟି ରହି ଯାଇଛି ସେମାନଙ୍କୁ ଠିକ ପ୍ରକ୍ରିୟା ଆବେଦନ କରିବାକୁ କୁହାଯାଉଛି । ସୁଭଦ୍ରା ପାଇଁ ପାଖାପାଖି ଏକ କୋଟି ମହିଳା ନାଁ ପଞ୍ଜୀକରଣ କରିଛନ୍ତି । ଡିସେମ୍ବର ସୁ୍ଦ୍ଧା ସମସ୍ତଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ପୂର୍ଭରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହି ସାରିଛନ୍ତି ।