ଅତ୍ୟାଧୁନିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ବାତ୍ୟା ‘ଦାନା’ର କ୍ଷୟକ୍ଷତି ଆକଳନ କରିବା ପାଇଁ ଆସିଥିବା ଆନ୍ତଃ-ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । କ୍ଷୟକ୍ଷତିର ଭରଣା ପାଇଁ ସହାୟତା ସହିତ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ଥାୟୀ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ଵାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଯୁଗ୍ମ ସଚିବ ପିକେ ରାଏଙ୍କ ନେତୃତ୍ୱରେ ଏକ ସାତ ଜଣିଆ ଟିମ୍ ୨୪ ତାରିଖରେ ଆସି ସବୁଠୁ ଅଧିକ କ୍ଷତିଗ୍ରସ୍ତ ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ବର ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରିଛନ୍ତି ।
ଆଜିର ଆଲୋଚନା ମୁଖ୍ୟମନ୍ତ୍ରୀ କହିଛନ୍ତି ଲୋକଙ୍କ ଜୀବନ ବଞ୍ଚାଇବାରେ ସରକାର ସଫଳ ହେଉଥିବା ବେଳେ ବିଭିନ୍ନ ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ହେଉଛି ଏବଂ ଏହାର ପୁନଃ ନିର୍ମାଣ ପାଇଁ ବ୍ୟାପକ ଅର୍ଥ ବିନିଯୋଗ କରିବାକୁ ପଡୁଛି । ତେଣୁ, ବିପର୍ଯ୍ୟୟ ପ୍ରତିରୋଧୀ ସ୍ଥାୟୀ ଭିତ୍ତିଭୂମିର ବିକାଶ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଉପକୂଳବର୍ତ୍ତୀ ଜିଲ୍ଲାରେ ଭୂତଳ ବିଦ୍ୟୁତ କେବୁଲ ସ୍ଥାପନ, ଉପକୂଳରେ ବନ୍ଧ ନିର୍ମାଣ, ବ୍ୟାପକ ହେନ୍ତାଳ ବନ ସୃଷ୍ଟି ଆଦି ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଟିମ୍ ନିକଟରେ ଦାବି କରିଛନ୍ତି । ଏହା ସହିତ ଭୁବନେଶ୍ଵରରେ ଏକ ଅତ୍ୟାଧୁନିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ମତ ରଖିଛନ୍ତି । ଏ ଦିଗରେ କେନ୍ଦ୍ର ସରକାର ଆବଶ୍ୟକ ସହଯୋଗ ଯୋଗାଇ ଦେବା ପାଇଁ ସେ ପ୍ରସ୍ତାବ ରଖିଥିଲେ।ଅନ୍ୟପକ୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ସ୍ଥାୟୀ ଭିତ୍ତିଭୂମି ସୃଷ୍ଟି କରାଯାଇ ପାରିଲେ ଓଡିଶାର ଅର୍ଥନୈତିକ ବିକାଶ ତ୍ଵରାନ୍ୱିତ ହୋଇପାରିବ। କେନ୍ଦ୍ରୀୟ ଟିମ୍ର ମୁଖ୍ୟ ଶ୍ରୀ ରାଏ ବାତ୍ୟା ‘ଦାନା’ର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ଵତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂହ ଉପସ୍ଥିତ ଥିଲେ ।